ବରୀ (ରତ୍ନଗିରି ନ୍ୟୁଜ) :ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୪ ତମ ଜୟନ୍ତୀ ଉପଲକ୍ଷେ ଅଭିମନ୍ୟୁ ସାହିତ୍ୟ ପରିଷଦ ପକ୍ଷରୁ ବିଦଗ୍ଧ କବି ସାରସ୍ଵତ ପ୍ରତିଯୋଗିତା ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟ, ଅଭିମନ୍ୟୁ ବାଲିଆ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ପ୍ରାଥମିକ ବିଦ୍ୟାଳୟସ୍ତର ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କବି ଅଭିମନ୍ୟୁଙ୍କ ରଚିତ ଛାନ୍ଦଗାନ, ସାଧାରଣ ଜ୍ଞାନ, ପ୍ରବନ୍ଧ, କବିତା ଆବୃତ୍ତି, ଏକକ ଅଭିନୟ ଓ ଏକକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଜିଲ୍ଲାସ୍ତରୀୟ ଏହି ସାରସ୍ଵତ ପ୍ରତିଯୋଗିତାରେ ୬୨ ବିଦ୍ୟାଳୟର ୭୩୪ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରୁ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୭ ତାରିଖ ଦିନ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହେବାକୁ ଥିବା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପରିଷଦର ସଭାପତି ତଥା ଅଭିମନ୍ୟୁ ସାମନ୍ତସିଂହାର ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମଳୟ କୁମାର ଜେନା ପ୍ରକାଶ କରିଛନ୍ତି l ସାରସ୍ଵତ ପ୍ରତିଯୋଗୀତାରେ ବିଚାରପତି ଭାବେ ବ୍ରଜ ମୋହନ ସାମଲ, ରାଜେନ୍ଦ୍ର ରାୟ, ଦୟାନିଧି ସାମଲ, ଅଞ୍ଜନ କୁମାର ମଲ୍ଲିକ, ମକର ଚରଣ ଘଡାଇ, ହୃଷିକେଶ ଜେନା, ଶିଶୁ ସାହିତ୍ୟିକ ଅଜୟ କୁମାର ଜେନାଙ୍କ ସମେତ ବହୁ ବିଚାରକ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ l
କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ତଥା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ରାଉତ, ସମ୍ପାଦିକା ତଥା ସାମନ୍ତ ସିଂହାର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ଵ ବନ୍ଦିତା ଦାସ, ଓଡ଼ିଆ ଅଧ୍ୟାପକ ପ୍ରମୋଦ କୁମାର ଦାସ, ରବିନ୍ଦ୍ର କୁମାର ଦାସ, ଅନାମିକା ମିଶ୍ର, ପ୍ରଗତି ଦାସ, ଦାମୋଦର ସାହୁ, ପ୍ରଭାକର ଜେନା, ସୁଶ୍ରୀ ସଂଗୀତା ଜେନା, ପ୍ରେମାନନ୍ଦ ରାଉତ, ଅଭିନ୍ନ କୁମାର ମହାନ୍ତି, କବି ଶରତ କୁମାର ଜେନା, ସୁଧାଂଶୁ ଶେଖର ବାଗ୍, ପ୍ରଦୀପ କୁମାର ମୁଦୁଲି ଙ୍କ ସମେତ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ପ୍ରମୁଖ ସହଯୋଗ କରିଥିଲେ l