କଟକ (ରତ୍ନଗିରି ନ୍ୟୁଜ ): କଟକ ବଡ଼ମେଡ଼ିକାଲ(ଏସସିବି)ରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କରି ଇକମୋ ୟୁନିଟର ଉଦଘାଟନ କରିଛନ୍ତି । ଏହା ରାଜ୍ୟର ପ୍ରଥମ ଚିକିତ୍ସା ପଦ୍ଧତି । ଇକମୋ ଚିକିତ୍ସା ସେବାର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ଓଡ଼ିଶାରେ ହିଁ ରୋଗୀ ଚିକିତ୍ସିତ ହେବେ । ଏହି ଚିକିତ୍ସା ପାଇଁ ବେଶ ଅର୍ଥ ଆବଶ୍ୟକ; କିନ୍ତୁ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇ ଦେବେ । ସବୁ ଖର୍ଚ୍ଚ ସରକାର ବହନ କରିବେ । ସେ ପୁଣି କହିଲେ ଯେ, ତୃତୀୟ ଲହରର ମୁକାବିଲା ଲାଗି ଆମକୁ ସତର୍କ ରହିବାକୁ ହେବ । ଏଥିରେ ଶିଶୁମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେଣୁ ପିଲାଙ୍କ ସୁରକ୍ଷା ଲାଗି କୋଭିଡ ଗାଇଡଲାଇନ ମାନିବା ସହ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ. ପାଣ୍ଡିଆନ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ, ଆଇନ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ଅନିଲ କୁମାର ସାମଲ, ଜିଲ୍ଲାପାଳ ଭବାନୀଶଙ୍କର ଚୟନି, ସିଏମସି କମଶନର ଅନନ୍ୟା ଦାସ, ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ସୁପରିଟେଣ୍ଡେଣ୍ଟ ଡାକ୍ତର ଲୁସି ଦାସ, ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
June 13, 2021