ବରୀ (ରତ୍ନଗିରି ନ୍ୟୁଜ) ୧୬/୧୨ :- ଯାଜପୁର ଜିଲ୍ଲାର ବରୀ ବ୍ଲକରେ ବୁଧବାର ଦିନ ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଯୋଗୁଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ବାତିଲ ହୋଇଛି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହାକୁ ଆରମ୍ଭ କରିବା ପରେ ଜିଲ୍ଲା ସଦର ମହକୁମା ଓ ପ୍ରତି ବ୍ଲକସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବରୀ ବ୍ଲକ ପରିସରରେ ଆୟୋଜିତ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ସଭାରେ ଜଣେ ଯୁବକ ହଠାତ୍ ଏକ ଠେଙ୍ଗା ଧରି ମଞ୍ଚରେ ବସିଥିବା ଅତିଥିଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲା। ଫଳରେ ମଞ୍ଚରେ ଥିବା ଟେବୁଲ ସବୁ ତଳେ ପଡ଼ିଯାଇଥିଲା। ମାଡ଼ ବସିବା ଭୟରେ ଅତିଥିମାନେ ଉଠିଯାଇଥିଲେ। ଯୁବକଙ୍କ ଠେଙ୍ଗା ମାଡ଼ରେ ସଭାସ୍ଥଳରେ ଲାଗିଥିବା ଦୁଇଟି ଲାଇଟ୍ ମଧ୍ୟ ଭାଙ୍ଗିଯାଇଥିଲା। ଅଳ୍ପରେ ବର୍ତ୍ତିଯାଇଥିଲେ ମଞ୍ଚରେ ବସିଥିବା ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଭଞ୍ଜ, ବିଡିଓ ଶିବାନନ୍ଦ ସ୍ବାଇଁ ଓ ଅତିରିକ୍ତ ବିଡିଓ ମହେଶ୍ବର ସେଠୀ। ସଭାସ୍ଥଳରେ ବରୀ ପୁଲିସ ଉପସ୍ଥିତ ଥିଲେ ମଧ୍ୟ କିଛି କରିପାରି ନଥିଲେ। ସଭାରେ ଥିବା ଲୋକମାନେ ସଂପୃକ୍ତ ଯୁବକକୁ କାବୁ କରିଥିଲେ। ପରବର୍ତ୍ତୀ ସମୟରେ ପୁଲିସ ଏହି ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଏହି ଯୁବକଙ୍କ ନାମ ସମରେଶ ନାଥଶର୍ମା। ତାଙ୍କ ଘର ଅଲିପୁର ପଞ୍ଚାୟତରେ।
Related Stories
November 14, 2024