ବରୀ,୨୦/ ୯ : ରକ୍ତ ପାଇଁ ଯେମିତି କାହାର ଜୀବନ ନଯାଉ ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଜୀବନ ବିନ୍ଦୁ ମାଧ୍ୟମରେ ବହୁ ଜୀବନ ରକ୍ଷା ହୋଇପାରିଛି । ସେହି ମହତ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ମୋ ନିର୍ବାଚନ ମଣ୍ଡଳୀର ବହୁ ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ୱେଚ୍ଛାକୃତ ରକ୍ତଦାତାମାନେ ଆଗେଇ ଆସିଛନ୍ତି ବୋଲି ଧାରପୁରସ୍ଥିତ ଲାଇଫ କ୍ଲବ୍ ଓ ଓଡ଼ିଶା ମୋ ପରିବାର ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍ଘାଟନ କରି ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିବା ସହ ଦୀର୍ଘ ସମୟ ରହି ରକ୍ତଦାତା ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ ।
ବୁଧବାର ଦିନ ବରୀ ବ୍ଲକ୍ ଅନ୍ତର୍ଗତ ଧାରପୁର ପଞ୍ଚାୟତର ଧାରପୁର ଠାରେ ଥିବା ଲାଇଫ୍ କ୍ଲବ୍ ପକ୍ଷରୁ ସ୍ୱର୍ଗତ ମଧୁସୂଦନ ଶାନ୍ତି, ଜ୍ୟୋତିଶଙ୍କର ରଥ ଓ ପବିତ୍ର କୁମାର ରଥଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ୫୪ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ଅନ୍ୟର ଜୀବନ ରକ୍ଷା ପାଇଁ ସେମାନଙ୍କ ରକ୍ତ ଦାନ କରିଥିବାବେଳେ ଯାଜପୁର ଜିଲ୍ଲା ରେଡ୍ କ୍ରସ ପକ୍ଷରୁ ସ୍ୱତନ୍ତ୍ର ଭ୍ୟାନ୍ ଯୋଗେ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ରକ୍ତଦାନ ଶିବିରରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଯାଜପୁର ଜିଲ୍ଲାର ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ବିମଳ ଚନ୍ଦ୍ର ଦାସ, ଲାଇଫ କ୍ଲବ୍ର ସଭାପତି ତୁଷାର କାନ୍ତ ଶ୍ୟାନ୍ତି, ଅପର୍ଣ୍ଣା ଶ୍ୟାନ୍ତି, ସୁନିଲ ଭୂୟାଁ, ମାନସ ଜେନା, ବିଶ୍ୱଜିତ୍ ଶ୍ୟାନ୍ତି, ଶୁଭେନ୍ଦୁ ଭୂୟାଁ, ସାଗର ଭୂୟାଁ, ସୁଧାଂଶୁ ଭୂୟାଁ, ସ୍ୱପ୍ନଜିତ ଶ୍ୟାନ୍ତିଙ୍କ ସହ କ୍ଲବ୍ର ବହୁ ସଦସ୍ୟ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଲାଇଫ୍ କ୍ଲବ୍ର ଏଭଳି କାର୍ଯ୍ୟକ୍ରମ ପାଇଁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।