ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : ପିପିଲିରେ କୌଣସି ପ୍ରକାର ପ୍ରଚାର ମିଟିଂ କିମ୍ବା ରାଲି ନ କରିବାକୁ ବିଜେଡ଼ି ନିଷ୍ପତ୍ତି ନେଇଛି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି । ପ୍ରଚାର ଅବଧି ଏବଂ ପ୍ରଚାର ତରିକା ସମ୍ପର୍କରେ ଅନ୍ୟ ରାଜନୈତିକ ଦଳ ଏବଂ ଭାରତର ନିର୍ବାଚନ କମିଶନ ବିଚାର କରିବାକୁ ନବୀନ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢ଼ୁଛେ । କାହାକୁ ବିପଦରେ ପକାଇବା ପାଇଁ ନୁହେଁ । ଏକ ଦାୟିତ୍ୱବାନ ଦଳ ଭାବେ ବିଜେଡ଼ି କୋଭିଡ୍ ର ଏହି ଭୟଙ୍କର ସ୍ଥିତିରେ କୌଣସି ଲୋକଙ୍କୁ ବିପଦରେ ପକାଇବାକୁ ଚାହେଁ ନାହିଁ । ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ଓଡ଼ିଶାବାସୀଙ୍କୁ ମୁଁ ମୋର ପରିବାର ସଦସ୍ୟ ବୋଲି ମନେ କରେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି । ସ୍ଥଗିତ ଥିବା ପିପିଲି ଉପନିର୍ବାଚନ ଆସନ୍ତା ୧୩ ରେ ହେବ । ୧୬ ତାରିଖରେ ଭୋଟ ଗଣତି ହେବ । ଏଥିପାଇଁ ଆଜି ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ମୃତ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଜାଗାରେ କଂଗ୍ରେସର ନୂଆ ପ୍ରାର୍ଥୀ କେବଳ ମନୋନୟନପତ୍ର ଦାଖଲ କରିବେ । ବିଜେଡ଼ି, ବିଜେପି କି ଅନ୍ୟମାନେ ଆଉ ପ୍ରାର୍ଥୀପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ । ଆସନ୍ତା ୨୬ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି ।