ଭଦ୍ରକ(ରତ୍ନଗିରି ନ୍ୟୁଜ) : ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନିର୍ଦ୍ଧାରିତ ସମୟରେ ଆସି ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ଦୁଇ ସେଟର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଦୁଇ ଜଣ ପ୍ରସ୍ତାବକଙ୍କ ସମେତ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ନେତୃତ୍ୱ ଉପସ୍ଥିତ ଥିଲେ। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ହେଉଛନ୍ତି ସୂର୍ଯ୍ୟବଂଶୀ ସୂରଜ ।
ସୂରଜ ଜଣେ ଉଚ୍ଚଶିକ୍ଷିତ ହୋଇଥିବା ବେଳେ ବିଜେପି ରାଜ୍ୟ ସୋସିଆଲ ମିଡିଆ କୋର୍ଡିନେଟର ଦାୟିତ୍ବରେ ଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ସେ ଇଂଜିନିୟରିଂ ଚାକିରୀ ଛାଡି ନିଜ ଦିବଂଗତ ବିଧାୟକ ବାପାଙ୍କ ରାଜନୈତିକ ଜୀବନରେ ସହଯୋଗ କରିଥିଲେ। ଏଥି ସହିତ ସେ ସାଂଗଠନିକ କାମ ମଧ୍ୟ ବୁଝୁଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ।
ଜଣେ ଯୁବନେତା ଓ ଯୁବସଂଗଠକ ଭାବେ ତାଙ୍କର ସାରା ଭଦ୍ରକ ଜିଲ୍ଲାରେ ସୁନାମ ରହିଛି। ଆଜି ସୂର୍ଯ୍ୟବଂଶୀ ସୂରଜ ପ୍ରଥମେ ତାଙ୍କ ପୈତୃକ ଗ୍ରାମ ମଙ୍ଗରାଜପୁରରୁ ଶୋଭାଯାତ୍ରାରେ ବାହାରି ଭଦ୍ରକ ସ୍ଥିତ ବାସଭବନରେ ପହଞ୍ଚି ଥିଲେ। ସେଠାରୁ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତେବେ ବାପାଙ୍କ ଅଧୁରା କାର୍ଯ୍ଯକୁ ପୁରା କରିବା ସହ ନିର୍ବାଚିତ ହେଲେ ସମଗ୍ର ଧାମନଗରବାସୀଙ୍କ ପାଇଁ ସର୍ବଦା ସମର୍ପିତ ରହିବେ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ।