ବରୀ (ରତ୍ନଗିରି ନ୍ୟୁଜ) : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ଅଜାଣ ଛକ ନିକଟରେ ଥିବା ସହିଦ୍ ମାୟାଧର ଭୂୟାଁଙ୍କ ସ୍ମୃତିପୀଠରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂମୀପୁତ୍ର ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଜୟନ୍ତୀ ବିଧାୟିକା ସୁନନ୍ଦା ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବୁଧବାର ଦିନ ସକାଳେ ପାଳିତ ହୋଇଯାଇଛି । ବରୀ ବ୍ଲକ୍ ବିଜେଡି ସଭାପତି କେଦାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟିକା ଶ୍ରୀମତୀ ଦାସ ମୁଖ୍ୟଅତିଥିଭାବେ ଯୋଗଦେଇ ସହିଦ୍ ମାୟାଧର ଭୂୟାଁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭୂମିପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଓଡ଼ିଶାର ବିକାଶରେ ବିଜୁ ବାବୁଙ୍କର ଭୂମିକା ସର୍ବଶ୍ରେଷ୍ଠ । ତାଙ୍କ ମୁଖ୍ୟମନ୍ତ୍ରୀ ସମୟରେ ମହିଳାମାନଙ୍କୁ ଏକାଧିକ କ୍ଷମତା ପ୍ରଦାନ ସହ ୧୩ରୁ ୩୦ଜିଲ୍ଲା, ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା, ପାରଦୀପ ବନ୍ଦର ପ୍ରତିଷ୍ଠା, ଶିଳ୍ପାୟନ କ୍ଷେତ୍ରରେ ବିକାଶ ସାଙ୍ଗକୁ ବହୁବିଧ ଉନ୍ନୟନ କାର୍ଯ୍ୟ କରି ଓଡ଼ିଶାର ପୁରପଲ୍ଲୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।
ସେହି ପରିଚୟକୁ ପାଥେୟ କରି ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ଶାସନ ଚଳାଇବା ସହ ମହିଳାମାନଙ୍କ ନିମନ୍ତେ ନିର୍ବାଚନରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ସମଗ୍ର ଦେଶରେ ରାଜନୈତିକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିପାରିଛନ୍ତି ବୋଲି ବିଧାୟିକା ଶ୍ରୀମତୀ ଦାସ ପ୍ରକାଶ କରିଥିଲେ । ପରେ ପରେ ଅଜାଣ ହାଟ ନିକଟରେ ଥିବା ପୁଷ୍କରିଣୀରେ ସ୍ୱର୍ଗୀୟ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ବରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ସ୍ଥାନୀୟ ସରପଞ୍ଚ ଚପଳା ମଲ୍ଲ, ଜିଲ୍ଲା ବିଜେଡି ଉପସଭାପତି ଆର୍ତ୍ତବାନ୍ଧୁ ସାମଲ, ସରପଞ୍ଚ ଶଙ୍କର୍ଷଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକଙ୍କ ସମେତ ବହୁ ବିଜୁପ୍ରେମୀ ଉପସ୍ଥିତ ରହି ତିଳ ତର୍ପଣ କରିଥିଲେ ।