ଭୁବନେଶ୍ବର: ପବିତ୍ର ରକ୍ଷା ବନ୍ଧନ ଅବସରରେ ଯଶୋଦା ମା ଫାଉଣ୍ଡେସନ, ଭୁବନେଶ୍ବର ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠାନର ପ୍ରମୁଖ ସଦସ୍ୟା ନିବେଦିତା ଲେଙ୍କାଙ୍କ ପରିକଳ୍ପନାରେ ଭିନ୍ନ ଢଙ୍ଗରେ ପାଳିତ ହୋଇଯାଇଛି । ଯଶୋଦା ମାଆ ଫାଉଣ୍ଡେସନର କୁନିକୁନି ପିଲାମାନେ ରାଜଭବନ ପରିସରରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି।
ବର୍ଣ୍ଣବୋଧ ପାଠଶାଳାର ଛଅ ଜଣ କୁନିକୁନି ପିଲାଙ୍କୁ ଶ୍ରୀମତୀ ଲେଙ୍କା ଓ ଗୁରୁମା ସ୍ବର୍ଣ୍ଣ ମଞ୍ଜରୀ ବେହେରା ନିଜ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନେଇ ରାଜଭବନ ନିକଟରେ ପହଞ୍ଚିଥିଲେ। ମହାମହିମ ରାଜ୍ୟପାଳଙ୍କୁ ପାଖରେ ପାଇ ଓ ହାତରେ ରାକ୍ଷୀ ବାନ୍ଧି କୁନିକୁନି ପିଲାମାନେ ବେଶ୍ ଖୁସିରେ ଆତ୍ମହରା ହୋଇଯାଇଥିଲେ। ରାଜଭବନ ତରଫରୁ ମଧ୍ୟ ପିଲାମାନଙ୍କୁ ଚକଲେଟ୍ , ପେନ୍ ଇତ୍ୟାଦି ଉପହାର ଦେଇ ଆପାୟିତ କରାଯାଇଥିଲା। ପରିଶେଷରେ ପିଲାମାନେ ଖୁସି ମନରେ ନିଜ ନିଜ ଘରକୁ ଫେରିଥିଲେ ଏବଂ ଯଶୋଦା ମାଆ ଫାଉଣ୍ଡେସନର ଏଭଳି ଉଦ୍ୟମକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଥିଲେ।