ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : ଆଗକୁ ଆସୁଛି ପଞ୍ଚାୟତ ନିର୍ଵାଚନ l ତେବେ ଏଥି ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବିଜେପିକୁ ଲାଗିଛି ଶକ୍ତ ଝଟ୍କା। ଏକାସଙ୍ଗେ ଦଳରୁ ଇସ୍ତଫା ଦେଇଛନ୍ତି ବିଜେପିର ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ। ଏହା ସଙ୍ଗେ ସଙ୍ଗେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସମସ୍ତେ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲାର ୧୧ ତମ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ଆଲୋଚନା ଚାଲିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଠକକୁ ଅଧାରୁ ସ୍ଥଗିତ ରଖିଥିଲେ। ଆଉ ସନ୍ଧ୍ୟା ବେଳେ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦଳରୁ ଇସ୍ତଫା ଦେଇଛନ୍ତି ୧୫ ନିର୍ବାଚିତ ସଦସ୍ୟ।
ତେବେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଭ୍ୟମାନେ ହେଉଛନ୍ତି ୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସାମାୟ ଚରଣ ପୂର୍ତ୍ତି, ୧୦ ନମ୍ବର ଜୋନ୍ର ସାରିନା ହେମ୍ବ୍ରମ୍, ୧୮ ନମ୍ବର ଜୋନ୍ଣ ଅଜିତ କଣ୍ଢେଇ, ୩୩ ନମ୍ବର ଜୋନ୍ର ନମିତା ନାୟକ, ୪୨ ନମ୍ବର ଜୋନ୍ର ଗାନ୍ଧାରୀ ନାୟକ, ୨୪ ନମ୍ବରର ମଧୁସ୍ମିତା ପରିଡ଼ା, ୩୫ ନମ୍ବର ଜୋନ୍ର ସସ୍ମିତା ଓଝା, ୧୪ ନମ୍ବର ଜୋନ୍ର ଜୟନ୍ତୀ ଲତା ସିଂ, ୫୫ ନମ୍ବର ଜୋନ୍ର ରବିନାରାୟଣ ନାୟକ, ୧୯ ନମ୍ବର ଜୋନ୍ର ରାଇମଣୀ ହାଁସଦା, ୨୨ ନମ୍ବର ଜୋନ୍ର ଅସିନ୍ତମଣୀ ସିଂ, ୧୭ ନମ୍ବର ଜୋନ୍ର ଦୀପାଞ୍ଜଳୀ ନାୟକ, ୪୪ ନମ୍ବରରୁ ପରମେଶ୍ୱର ନାୟକ, ୪୦ ନମ୍ବର ଜୋନ୍ର ମଞ୍ଜୁଲତା ମହାନ୍ତ ଏବଂ ୨୩ ନମ୍ବର ଜୋନ୍ର କୁମାରେନ୍ଦ୍ର କୁମାର ସେଠୀ।
ଜିଲ୍ଲାପରିଷଦ ସଭ୍ୟମାନେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି। ତେବେ ଇସ୍ତଫାର କାରଣରେ ଦଳରେ ଚାଲିଥିବା ଅଭ୍ୟନ୍ତରୀଣର କନ୍ଦଳ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଏପରିକି ଲୋକସଭା ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କର ଜିଲ୍ଲାରୁ ନିର୍ବାଚିତ ୬ଜଣ ବିଧାୟକ କିମ୍ବା କୌଣସି ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ସମନ୍ଵୟର ଅଭାବ ଏବଂ ମତାନ୍ତର ଜିଲ୍ଲାରେ ଦଳକୁ ବହୁତ୍ କ୍ଷତି ପହଞ୍ଚାଇବ ବୋଲି କରଞ୍ଜିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ସମାୟ ଚରଣ ପୂର୍ତ୍ତି କହିଛନ୍ତି। ଏହା ବ୍ୟତୀତ କରଞ୍ଜିଆ, ଯଶୀପୁର, ସାରସକଣା, ବଡ଼ସାହି, ଉଦଳା ଏବଂ ମୋରଡ଼ା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାମାନେ ବିଜେପି ଛାଡ଼ିଛନ୍ତି।