ଭୁବନେଶ୍ୱର : ୨୬ ମଇ ସକାଳ ୯ଟାରୁ ଅତି ଭୀଷଣ ସାମୁଦ୍ରିକ ଝଡ ୟସ୍ ଧାମରାର ଉତ୍ତରକୁ ତଥା ବାଲେଶ୍ବର ସହର ଦକ୍ଷିଣକୁ-ରେମୁଣା ସଦର ବ୍ଲକ୍ ବାହନଗା ଅଞ୍ଚଳରେ ଲ୍ୟାଣ୍ଡ୍ଫଲ୍ କରିବା ଆରମ୍ଭ ହୋଇଛି। ଦିନ ଗୋଟାଏ ବେଳକୁ ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ସରିବ। ଘଣ୍ଟା ପ୍ରତି ୧୩୦ରୁ ୧୪୦ କିମି ବେଗରେ ପବନ ବହିବ। ବାତ୍ୟା ବାଲେଶ୍ବରରୁ ମୟୂରଭଞ୍ଜ ଦେଇ ଗତି କରିବ। ମୟୂରଭଞ୍ଜରେ ପବନ ଘଣ୍ଟା ପ୍ରତି ୧୦୦ କିମି ମଧ୍ୟରେ ରହିବ।
ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାର ପ୍ରକୋପ ଲାଗି ରହିଛି। ବାରିପଦା-କୁସୁମୀ ଅଞ୍ଚଳରେ ସର୍ବାଧିକ ୩୦୪ ମିମି, ଚାନ୍ଦବାଲିରେ ୨୮୮ ମିମି, କେନ୍ଦ୍ରାପଡା ରାଜନଗରରେ ୨୭୫ ମିମି ଏବଂ ଏରସମାରେ ୨୭୧ ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ୬୭ଟି ସ୍ଥାନରେ ୧୧୦ ମିମିରୁ ୩୦୪ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି।