ବରୀ (ରତ୍ନଗିରି ନ୍ୟୁଜ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଶନିବାର ଥିଲା ପ୍ରାର୍ଥୀ ପତ୍ର ଯାଞ୍ଚ । ଗ୍ରାପ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ୱାର୍ଡ ସଭ୍ୟ/ସଭ୍ୟାଙ୍କ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯାଇଥିବାବେଳେ ବ୍ଲକ୍ ପରିସରରେ ସମିତି ସଭ୍ୟ/ସଭ୍ୟା ଓ ଜିଲ୍ଲା ପରିଷଦ ପାଇଁ ଜିଲ୍ଲା ସ୍ତରରେ ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି ।
ବରୀ ପଞ୍ଚାୟତ ସମିତି ଅଧିନରେ ୨୯ଗୋଟି ଗ୍ରାମ ପଞ୍ଚାୟତ ପାଇଁ ପ୍ରାର୍ଥୀ ପତ୍ର ଯାଞ୍ଚ କାର୍ଯ୍ୟ ଶେଷ ହୋଇଥିବାବେଳେ ଜଣେ ସମିତିସଭ୍ୟ ଓ ଆଠ ଜଣ ୱାର୍ଡ ସଭ୍ୟଙ୍କ ନାମାଙ୍କନ ଖାରଜ ହୋଇଥିବା ବରୀ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଶିବାନନ୍ଦ ସ୍ୱାଇଁଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଯାଞ୍ଚ ପକ୍ରିୟା ଶେଷ ପରେ ଚଳିତ ତ୍ରିସ୍ତରୀୟ ନିର୍ବାଚନ ଲଢିବା ପାଇଁ ବରୀ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୯୩୪ଜଣ ପ୍ରାର୍ଥିଙ୍କ ନାମାଙ୍କନ କାଏମ ରହିଛି । ସମିତି ସଭ୍ୟ/ସଭ୍ୟା ପାଇଁ ୧୦୪ଜଣ ପ୍ରାର୍ଥି ରହିଥିବାବେଳେ ସରପଞ୍ଚ ପାଇଁ ୧୫୦ ଜଣ ଓ ୱାର୍ଡ ସଭ୍ୟ/ସଭ୍ୟା ପାଇଁ ୬୮୦ଜଣ ପ୍ରାର୍ଥୀ ଚୁଡାନ୍ତ ତାଲିକାରେ ରହିଛନ୍ତି । ଅଟିରାରୁ ଜଣେ ସମିତି ସଭ୍ୟଙ୍କ ନାମାଙ୍କନ ଖାରଜ ହୋଇଥିବାବେଳେ ୱାର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ବରୀ ଓ ବାଲିଆରୁ ଦୁଇଜଣ, ବାଲିବିଲ, କଳାମାଟିଆ, ମଧୁସୁଦନପୁର ଓ ରମ୍ପା ପଞ୍ଚାୟତରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଛି । ସମିତି ସଭ୍ୟ ପାଇଁ ସର୍ବାଧିକ ରମ୍ପା ଗ୍ରାମ ପଞ୍ଚାୟତରୁ ୯ଜଣ ପ୍ରାର୍ଥୀ ରହିଥିବାବେଳେ ଅଲ୍ଲୀପୁର, ଅରଂଗାବାଦ, ଅଙ୍ଗାଳୋ, ଧାରପୁର, କିମ୍ଭିରିଆପାଳ, ମନ୍ଦାରୀ, ସାହୁପଡା ଓ ଉଦୟନାଥପୁରରୁ ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା ପାଇଁ ରହିଛନ୍ତି । ସେହିପରି ସରପଞ୍ଚ ନିମନ୍ତେ ବାଇଁଶିରିଆ, ରତଳାଙ୍ଗ ଓ ସ୍ୱାଇଁଖଣ୍ଡ ପଞ୍ଚାୟତରୁ ସର୍ବାଧିକ ୮ଜଣ ପ୍ରାର୍ଥୀ ଚୁଡାନ୍ତ ତାଲିକାରେ ଅଛନ୍ତି । ତେବେ ଭଅଁରା ଓ ଧାରପୁର ପଞ୍ଚାୟତରେ ୨ଜଣ ଲେଖାଏଁ ପ୍ରାର୍ଥୀ ଥିବାରୁ ଉକ୍ତ ଦୁଇ ପଞ୍ଚାୟତରେ ମୁହାଁ ମୁହିଁ ଲଢେଇ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୱାର୍ଡ ସଭ୍ୟ ପାଇଁ ଯାଞ୍ଚ ପକ୍ର୍ରିୟା ଶେଷରେ ୬୮୦ଜଣ ପ୍ରାର୍ଥୀ ରହିଥିବାବେଳେ ବାଇଁଶିରିଆ ପଞ୍ଚାୟତରେ ସର୍ବାଧିକ ୩୬ଜଣ, ରତ୍ନଗିରିରେ ୩୪ଜଣ, ଅଲ୍ଲୀପୁର ଓ ବୋଦୁଅରେ ୩୧ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ଆଜି ଅପରାହ୍ନରେ ପ୍ରତିଦ୍ୱନ୍ଦିତା ପାଇଁ ରହିଥିବା ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ ପରଠାରୁ ୨୫ ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି । ଏହା ପରେ ନିର୍ବାଚନ ରଣାଙ୍ଗନରେ ଥିବା ପ୍ରାର୍ଥୀମାନଙ୍କ ଚୁଡାନ୍ତ ତାଲିକା ପ୍ରକାଶ ସହ ନିର୍ବାଚନୀ ସଂକେତ ପ୍ରଦାନ କରାଯିବ ।
ବରୀ ବ୍ଲକ୍ ଅନ୍ତର୍ଗତ ୪ଗୋଟି ଜିଲ୍ଲା ପରିଷଦ ଅଞ୍ଚଳରେ ଆସନ୍ତା ଫେବୃୟାରୀ ୨୪ତାରିଖ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ବୋଲି ବରୀ ବ୍ଲକ୍ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଲକ୍ଷ୍ମୀକାନ୍ତ ମହାରଣା ସୂଚନା ଦେଇଛନ୍ତି ।
Related Stories
December 1, 2024
November 25, 2024