ବରୀ(ରତ୍ନଗିରି ନ୍ୟୁଜ) : ବହୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ବରୀ ପଞ୍ଚାୟତ ସମିତି ପୁଣି ଥରେ ବିଜେଡି ଯୁବ ନେତା ତଥା ରାଜ୍ୟ ସମ୍ପାଦକ ବିଶ୍ୱ ରଂଜନ ମଲ୍ଲିକଙ୍କ ଅଧିନକୁ ଯାଇଛି । କିଏ ଗଢିବ ପଞ୍ଚାୟତ ସମିତି ସେ ନେଇ ନିର୍ବାଚନ ଫଳାଫଳ ଘୋଷଣା ପର ଠାରୁ ଲାଗି ରହିଥିବା ଚର୍ଚ୍ଚାରେ ଶନିବାର ଅନୁଷ୍ଠିତ ନିର୍ବାଚନ ପରେ ପୂର୍ଣ୍ଣଛେଦ ପଡିଛି । ବିଶ୍ୱ ରଂଜନ ମଲ୍ଲିକଙ୍କ ସର୍ମଥିତ ପ୍ରାର୍ଥୀ ଅଶୋକ କୁମାର ଗେଡି ବିଧାୟିକା ସୁନନ୍ଦା ଦାସଙ୍କ ସର୍ମଥିତ ପ୍ରାର୍ଥୀ ଜ୍ୟୋତ୍ରିମୟୀ ବେହେରାକୁ ତିନି ଖଣ୍ଡ ଭୋଟରେ ପରାସ୍ତ କରି ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ୨୯ ସଦସ୍ୟ ବିଶିଷ୍ଟ ବରୀ ପଞ୍ଚାୟତ ସମିତିର ୧୬ ସଦସ୍ୟ ଶ୍ରୀ ଗେଡିଙ୍କ ସପକ୍ଷରେ ଭୋଟ ଦେଇଥିବାବେଳେ ଶ୍ରୀମତୀ ବେହେରାଙ୍କ ସପକ୍ଷରେ ୧୩ ସଦସ୍ୟ ଭୋଟ ଦେଇଥିଲେ । ନିର୍ବାଚନ ଶେଷରେ ରସୁଲପୁର ବିଡିଓ ତଥା ନିର୍ବାଚନ ଅଧିକାରୀ ଉମାକାନ୍ତ ପରିଡ଼ା ବିଶ୍ୱଙ୍କ ସର୍ମଥିତ ଅଶୋକ କୁମାର ଗେଡି ନିର୍ବାଚିତ ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
କଡା ସୁରକ୍ଷା ବଳୟ ମଧ୍ୟରେ ସକାଳେ ବରୀ ବ୍ଲକ୍ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଶ୍ୱ ରଂଜନଙ୍କ ସର୍ମଥିତ ସମିତିସଭ୍ୟ, ସଭ୍ୟାମାନେ ପଞ୍ଚାୟତ ସମିତି ମଧ୍ୟକୁ ପ୍ରବେଶ କରିବା ପରେ ବିଧାୟିକା ଶ୍ରୀମତୀ ଦାସଙ୍କ ସର୍ମଥକମାନେ ପ୍ରବେଶ କରିଥିଲେ । ଉଭୟ ପକ୍ଷରୁ ଜଣେ ଲେଖାଁଏ ପ୍ରାର୍ଥୀ ନିଜର ନାମାଙ୍କନ ଭରିଥିବାବେଳେ ଚୂଡାନ୍ତ ଫଳାଫଳ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଭୋଟ ଗଣତି ପରେ ଶ୍ରୀ ଗେଡି ୧୬ ଖଣ୍ଡ ଭୋଟ ପାଇଥିବାବେଳେ ଶ୍ରୀମତୀ ବେହେରା ୧୩ଖଣ୍ଡ ଭୋଟ ପାଇଥିଲେ ।
ଶ୍ରୀ ଗେଡିଙ୍କୁ ନିର୍ବାଚନ ଅଧିକାରୀ ବିଜୟୀ ଘୋଷଣା କରିବା ପରେ ବିଜେଡି ରାଜ୍ୟ ସମ୍ପାଦକ ବିଶ୍ୱରଂଜନଙ୍କ ସପକ୍ଷରେ ଉପସ୍ଥିତ ସମର୍ଥକମାନେ ନାରାବାଜି ଆରମ୍ଭ କରିଦେଇଥିଲେ । ନବନିର୍ବାଚିତ ସମିତି ଅଧ୍ୟକ୍ଷ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ନିଜର ଖୁସି ବ୍ୟକ୍ତ କରିବା ସହ ଏ ବିଜୟ ଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ବଡ ବିଜୟ ବୋଲି କହିଥିଲେ । ବିଜେଡି ରାଜ୍ୟ ସମ୍ପାଦକ ବିଶ୍ୱରଂଜନ ମଲ୍ଲିକ ବିଜୟକୁ ସାଧାରଣ ଲୋକଙ୍କ ବିଜୟ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମର୍ଥନ ବୋଲି କହିବା ସହ ୨୦୨୪ରେ ବହୁ ଭୋଟ ବ୍ୟବଧାନରେ ବରୀରେ ବିଜେଡିର ବିଜୟ ହେବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।
ନିର୍ବାଚନ ପରିଚାଳନାରେ ରସୁଲପୁର ବିଡ଼ିଓ ଉମାକାନ୍ତ ପରିଡ଼ା ନିର୍ବାଚନ ଅଧିକାରୀଭାବେ ଦାୟିତ୍ୱ ତୁଲାଇଥିବାବେଳେ ତହସିଲଦାର ମାନସ ରଂଜନ ଭୋଇ, ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠୀ, ଅତିରିକ୍ତ ତହସିଲଦାର ଭାନୁମତୀ ମାଝି, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଲକ୍ଷ୍ମୀକାନ୍ତ ମହାରଣା ପ୍ରମୁଖ ନିର୍ବାଚନ ପରିଚାଳନାରେ ସହାୟତା କରିଥିଲେ । ବରୀ ଥାନା ଭାରପ୍ରାପ୍ତ ଅଧିକାରୀ, ଉଚ୍ଚପଦସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସଫଳତାର ସହ ଆଇନଶୃଙ୍ଖଳା ରକ୍ଷା କରିଥିଲେ ।