ବରୀ (ରତ୍ନଗିରି ନ୍ୟୁଜ) ୨୨/୦୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶୁକ୍ରବାର ଥିଲା ପ୍ରାର୍ଥି ପତ୍ର ଦାଖଲରେ ଶେଷ ଦିନ । ବରୀ ପଞ୍ଚାୟତ ସମିତି ଅଧିନରେ ୨୪୪ ୱାର୍ଡ ସଭ୍ୟ, ୫୪ଜଣ ସରପଞ୍ଚ ଓ ୪୨ଜଣ ସମିତି ସଭ୍ୟ ନିଜର ନାମାଙ୍କନ ଦାଖଲ କରିଥିଲେ । ବରୀ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ୧୫୦ଜଣ ସରପଞ୍ଚ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୧୦୬ଜଣ ସମିତି ସଭ୍ୟ ନିଜ ସପକ୍ଷରେ ନାମାଙ୍କନ ଭରିଛନ୍ତି । ବରୀ ବ୍ଲକ୍ରେ ବାଇଁଶିରିଆ, ରତଳାଙ୍ଗ ଓ ସ୍ଵାଇଁଖଣ୍ଡ ପଞ୍ଚାୟତରୁ ସର୍ବାଧିକ ୮ଜଣ ଲେଖାଏଁ ସରପଞ୍ଚ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରୁଥିବା ଜଣାପଡିଛି । ସେହିପରି ରତଳାଙ୍ଗ ପଞ୍ଚାୟତରୁ ସର୍ବାଧିକ ୯ଜଣ ପ୍ରାର୍ଥି ସମିତିସଭ୍ୟ ପଦବୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ତେବେ ସରପଞ୍ଚ ପଦବୀ ପାଇଁ କଡା ଟକ୍କର ଧାରପୁର ଓ ଭଅଁରା ପଞ୍ଚାୟତରେ ହେବ ବୋଲି ପ୍ରାର୍ଥି ପତ୍ର ଦାଖଲରୁ ଜଣାପଡିଛି । ଉକ୍ତ ଦୁଇ ପଞ୍ଚାୟତରେ ୨ଜଣ ଲେଖାଏଁ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଅନ୍ୟ ପକ୍ଷରେ ୭ ଗୋଟି ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥି ଭାବେ ୨ଜଣ ଲେଖାଏଁ ପ୍ରାର୍ଥି ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଶୁକ୍ରବାର ସକାଳେ ବରୀ ପଞ୍ଚାୟତ ସମିତିରେ ଚର୍ଚ୍ଚାରେ ଥିବା ମନ୍ଦାରୀ ପଞ୍ଚାୟତରେ ବିଜେଡିର ୨ଗୋଷ୍ଠୀରୁ ଉଭୟ ସରପଞ୍ଚ ଓ ସମିତି ସଭ୍ୟ ଅଲଗା ଅଲଗା ନାମାଙ୍କନ ଦାଖଲ କରାଯାଇଛି । ଉକ୍ତ ପଞ୍ଚାୟତରେ ସରପଞ୍ଚ ଥିବା କବିତା ପଣ୍ଡାଙ୍କ ସ୍ୱାମି ହରିହର ପଣ୍ଡା ନିଜର ନାମାଙ୍କନ ଦାଖଲ କରି ଲୋକଙ୍କ ଭଲ ପାଇବା ତାଙ୍କ ସହ ଥିବାରୁ ସେ ବିଜୟୀ ହେବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କହିଛନ୍ତି ।
ଉକ୍ତ ପଞ୍ଚାୟତରୁ ଅନ୍ୟତମ ସରପଞ୍ଚ ପ୍ରାର୍ଥି ହୋଇଥିବା ଧିରେନ୍ଦ୍ର ଜେନା ନିର୍ବାଚନରେ ଜିତିବେ ବୋଲି ପ୍ରକାଶ କରିଛନ୍ତି । ଚର୍ଚ୍ଚାରେ ଥିବା ଅନ୍ୟତମ ପଞ୍ଚାୟତ ଉଦୟନାଥପୁରର ସରପଞ୍ଚ ଥିବା ସବିତା ସାମଲ ନାମାଙ୍କନ ଭରିଥିବା ବେଳେ ଶେଷ ଦିନରେ ତାଙ୍କ ସ୍ୱାମି ପ୍ରସନ୍ନ କୁମାର ସାମଲ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଉଭୟ ସ୍ୱାମି-ସ୍ତ୍ରୀଙ୍କ ମଧ୍ୟରୁ କିଏ ନିର୍ବାଚନ ଲଢିବେ ତାହା ପ୍ରାର୍ଥି ପତ୍ର ପ୍ରତ୍ୟାହାର ପରେ ଚିତ୍ର ସ୍ପଷ୍ଟ ହୋଇଯିବ । ଲୋକେ ତାଙ୍କୁ ଭଲ ପାଉଛନ୍ତି ପୁଣିଥରେ ସରପଞ୍ଚ ଭାବେ ଦେଖିବାକୁ ଚାହୁଥିବାରୁ ସେ ନିର୍ବାଚନ ରଣାଙ୍ଗନାରେ ସାମିଲ ହୋଇଥିବା ପ୍ରସନ୍ନ କୁମାର ସାମଲ କହିଛନ୍ତି l
ଉକ୍ତ ପଞ୍ଚାୟତରୁ ଅନ୍ୟମାନଙ୍କ ମଧ୍ୟରେ ବିଚିତ୍ରାନନ୍ଦ ମହାକୁଳ, ନଗେନ୍ଦ୍ର ମଲିକ, ମଧୁସ୍ମିତା ମହାକୁଳ ଓ ଆରାଧନା ମହାକୁଳ ପ୍ରମୁଖ ସରପଞ୍ଚ ପ୍ରାର୍ଥି ହୋଇଛନ୍ତି । ଇଶାଣପୁର ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥି ଭାବେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଯୋଧ୍ୟା ଜେନାଙ୍କ ସ୍ୱାମି ଚିନ୍ତାମଣି ଜେନା ନାମାଙ୍କନ ଦାଖଲ କରିଛନ୍ତି । ୫ଜଣ ଇଶାଣପୁର ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥି ହୋଇଥିବାବେଳେ ସେ ଲୋକଙ୍କର ପ୍ରଥମ ପସନ୍ଦ ହେବେ ବୋଲି କହିଛନ୍ତି ।
ସେହିପରି ଗୋଳକୁଣ୍ଡ ପଞ୍ଚାୟତରୁ ୪ଜଣ ପ୍ରାର୍ଥି ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବାବେଳେ ମିତା ଗୁରୁ ଓ ପ୍ରତିମା ଗୁରୁ ଉଭୟ ସାଙ୍ଗ ହୋଇ ସମିତିସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଶନିବାର ପ୍ରାର୍ଥି ପତ୍ର ଯାଞ୍ଚ ତାରିଖ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବାବେଳେ ଦିନ ୧୧ଘଟିକା ଠାରୁ ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏବଂ ସମିତିସଭ୍ୟ ପାଇଁ ବ୍ଲକ୍ କାର୍ଯ୍ୟାଳୟରେ ଯାଞ୍ଚ ଶେଷ ଯାଏଁ ଚାଲିବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ : ସନ୍ତୋଷ କୁମାର ରାଉତ, ବରୀ