ଢେ଼ଙ୍କନାଳ(ରତ୍ନଗିରି ନ୍ୟୁଜ ):-କରୋନା ଯୋଗୁଁ ମରିଯାଇଛି ମାନବିକତା । କେତେବେଳେ ଖିନ୍ଭିନ୍ କରୁଛି କରୋନାର ଏହି ଭୟଙ୍କର ରୂପ ତ ପୁଣି କେତେବେଳେ ସଂପର୍କକୁ ମଧ୍ୟ ଖଣ୍ଡବିଖଣ୍ଡିତ କରୁଛି । ବାପା ମା’ର ମୁହଁରେ ନିଆଁ ଦେଇପାରୁ ନାହାଁନ୍ତି ସନ୍ତାନ । ଏହିପରି କେତେକ ସ୍ଥଳରେ ବୃଦ୍ଧ ବାପା ମା’ ନିଜ ସନ୍ତାନ ସନ୍ତତିଙ୍କ ମୃତମୁହଁ ମଧ୍ୟ ଦେଖୁପାରୁନାହାଁନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖବାକୁ ମିଳିଛି ଢେଙ୍କାନାଳ ସହରର ବୋରାପଦା ଅଂଚଳରେ । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ନିଜର କେହି ସନ୍ତାନସନ୍ତତି ନଥିବାରୁ ପାଖପଡୋଶୀ କେହି ଶବସତ୍କାର ପାଇଁ ଆଗେଇ ଆସିନଥିଲେ । ଏକୁଟିଆ ନିରୁପାୟ ହୋଇ ସ୍ତ୍ରୀ ମଧ୍ୟ ମୁକ ପାଲଟି ଯାଇଥିଲେ । ଫଳରେ ବହୁ ସମୟ ଧରି ଘରେ ପଡି ରହିଲା ଶବ । ବଜରଙ୍ଗ କ୍ଲବର ସହଯୋଗ ପରେ ଶବ ଉଠିଲା । ବୋରାପଦାର କୋଭିଡ୍ ଆକ୍ରାନ୍ତ ଏହି ବ୍ୟକ୍ତି ପୂର୍ତ ବିଭାଗର କାର୍ଯ୍ୟରତ କର୍ମଚାରୀ ଗୌରାଙ୍ଗ ଚରଣ ମଲ୍ଲିକ ଦୁଇଦିନ ତଳେ ଚିକିତ୍ସାଳୟରୁ ଡିସ୍ଚାର୍ଜ ହୋଇ ଆସିଥିଲେ କିନ୍ତୁ ଅମ୍ଳଜାନ ସ୍ତର କମିଯାଉଥିବାରୁ ତାଙ୍କୁ ବଜରଙ୍ଗ କ୍ଲବ୍ ତରଫରୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇଦିଆଯାଇଥିଲା । ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ ଏବଂ ପାଖପଡୋଶୀ ସହଯୋଗ ନକରିବାରୁ ତାଙ୍କର ଧର୍ମପତ୍ନୀ ନିରୁପାୟ ହୋଇ ବଜରଙ୍ଗ କ୍ଲବର ସହଯୋଗ ଲୋଡିଥିଲେ ।
ଏହି ସମୟରେ ବଜରଙ୍ଗ କ୍ଲବ୍ ସମସ୍ତ ସହଯୋଗର ହାତ ବଢ଼ାଇଥିଲା । ମୃତ ବ୍ୟକ୍ତିଙ୍କ ଜଣେ ସଂପର୍କୀୟ ଭାଇ ଓ ଧର୍ମପତ୍ନୀଙ୍କ ସମେତ ବଜରଙ୍ଗ କ୍ଲବ୍ର ସଦସ୍ୟମାନେ ସ୍ଥାନୀୟ ମହିଷାପାଟ ଖାଇରଗଡା ଶ୍ମଶାନରେ କୋଭିଡ୍ ନିୟମାନୁଯାୟୀ ଶବ ସଂସ୍କାର କରିଥିଲେ । ଆଗକୁ ଏହି ସେବା ଜାରି ରହିବ ବୋଲି କ୍ଲବ୍ ତରଫରୁ ପ୍ରକାଶ କରାଯାଇଛି । ଏହି ଶବ ସଂସ୍କାରରେ କ୍ଲବର ସଭାପତି ଅମରେନ୍ଦ୍ର ସାମଲ, ସଭ୍ୟ ସଂଜୟ ବେହେରା, ଗଣେଶ୍ବର ମହାପାତ୍ର, ଫିଟୁ ପାତ୍ର, ଆଶୁତୋଷ କର ପ୍ରମୁଖ ସହଯୋଗ କରିଥିଲେ ।