ଯାଜପୁର(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲାର ଅନ୍ୟତମ ସମ୍ଭ୍ରାତ ପତ୍ରିକା ସାରସ୍ୱତ ସାରାଂଶ ପକ୍ଷରୁ ଯାଜପୁର ଟାଉନସ୍ଥିତ ଗୁରୁକୁଳ କଳିଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶିଷ୍ଟ କବି ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ସଭାପତିତ୍ୱରେ ଏହାର ବାର୍ଷିକ ଉତ୍ସବ, ପତ୍ରିକା, ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଉଦ୍ଯାପନୀ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ ଉଦ୍ଘାଟକଭାବେ ବିଶିଷ୍ଟ କବି ଅମରେଶ ପଟ୍ଟାନାୟକ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ଅଧ୍ୟାପକ ଯଚିନ୍ଦ୍ର କୁମାର ରାଉତ, ଡ. ବଟକୃଷ୍ଣ ମହାପାତ୍ର ଯୋଗଦେଇଥିବାବେଳେ ମୁଖ୍ୟବକ୍ତାଭାବେ କବି ତଥା ପ୍ରଶାସକ ଧନଞ୍ଜୟ ସ୍ୱାଇଁ ଯୋଗଦେଇ ସାମ୍ପ୍ରତିକ ସାହିତ୍ୟରେ କବି ଓ କବିତାର ଗତି ଓ ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ଗାଳ୍ପିକ ସୁବ୍ରତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି କାମେଶ୍ୱର ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ପ୍ରତିଭାଧର ବ୍ୟକ୍ତିବିଶେଷଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସାରସ୍ୱତ ସାରାଂଶର ସ୍ୱନକ୍ଷତ୍ର ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।
ପ୍ରଥମ ଅଧିବେଶନରେ ଡଃ ରବିନ୍ଦ୍ର ବିହାରୀଙ୍କ ସଭାପତିତ୍ୱରେ ପାଠଉତ୍ସବ ଅନୁଷ୍ଠିତ ହୋଇଥିଲା । କବି ଜିତେନ୍ଦ୍ର କୁମାର ବେହେରା ଓ ସରସ୍ୱତୀ ପଣ୍ଡା କବିତାଗୁଡିକୁ ସଂଯୋଜନା କରିଥିବାବେଳେ କବି ରାମଚନ୍ଦ୍ର ଦାସ ଏବଂ ସୁରେନ୍ଦ୍ର ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ । ଏହି କବିତା ପାଠଉତ୍ସବରେ ବହୁ ପ୍ରତିଷ୍ଠିତ କବି ସେମାନଙ୍କ କବିତା ପାଠ କରିଥିଲେ ।