ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମସ୍ ରୋଗୀଙ୍କ ଚିକିତ୍ସାକୁ ନେଇ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ଏମସ ବର୍ତ୍ତମାନ ୫୦୦ ଟଙ୍କା ତଳକୁ ଥିବା ସମସ୍ତ ମେଡିକାଲ ଟେଷ୍ଟରୁ କିଛି ଟଙ୍କା ନେବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ବିଷୟରେ କରାଯାଇଥିବା ସମସ୍ତ ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିଛି । ଏହି ସବୁ ପ୍ରସ୍ତାବ ଗୁଡିକୁ କମ ସେ କମ ୪ ବର୍ଷ ପୂର୍ବେ ମନ୍ତ୍ରାଳୟକୁ ପଠାଯାଇଥିବା ସୂଚନା ରହିଛି।
ମିଳିଥିବା ସୂଚନାନୁସାରେ, ଏହି ନିଷ୍ପତ୍ତି ପରେ ଏବେ ଏମସ ରେ ବ୍ଲଡ ଟେଷ୍ଟ ଠାରୁ ଆରମ୍ଭ କରି ଏକ୍ସରେ, ସିଟି ସ୍କାନ ପ୍ରଭୃତି ଅନ୍ୟ ପରୀକ୍ଷା ଗୁଡ଼ିକ ମଧ୍ୟ ମାଗଣାରେ ମିଳିପାରିବ । କୁହାଯାଉଛି ଯେ, ଏବେ ସୁଦ୍ଧା ଏହି ସବୁ ପରୀକ୍ଷା ପାଇଁ ଏମସର ଥିବା କାଉଣ୍ଟରରେ ଟଙ୍କା ଜମା କରିବାକୁ ପଡ଼ିଥାଏ। ସୂଚନାନୁସାରେ, AIIMS ରେ ୫୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ୫୦ ରୁ ୮୦ ହଜାର ପରୀକ୍ଷା କରାଯାଏ । କିନ୍ତୁ ବର୍ତ୍ତମାନ ଏହି ସବୁ ପରୀକ୍ଷାକୁ ଦେୟମୁକ୍ତ କରିବା ପରେ ରୋଗୀମାନେ ବହୁତ ଆଶ୍ୱସ୍ତି ପାଇପାରିବେ । ଏଥି ସହିତ, ଏହି ପରୀକ୍ଷାର ରିପୋର୍ଟ ରୋଗୀଙ୍କୁ ସେହିଦିନ ଅନଲାଇନରେ ହିଁ ପ୍ରଦାନ କରାଯିବ।
ଏଠାରେ କହିରଖୁଛୁ ଯେ, ୨୦୧୭ ନଭେମ୍ବରରେ AIIMS ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ (Dr. Randeep Guleria)ଦ୍ୱାରା ଏହି ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିଶ କରାଯାଇଥିଲା। ଏହି ସୁପାରିଶ ଗୁଡିକରେ ନିର୍ଦ୍ଦେଶକ କହିଥିଲେ ଯେ ରୋଗୀମାନେ ଏଭଳି ପରୀକ୍ଷା ଏବଂ ଚିକିତ୍ସା ପାଇଁ ବହୁତ ଖର୍ଚ୍ଚ କରନ୍ତି । ତେଣୁ, ଏହି ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କୁ ଆରାମ ଦେବା ପାଇଁ, ଏହି ଶୁଳ୍କ ରଦ୍ଦ କରାଯିବା ଉଚିତ ଏବଂ ଏହାକୁ ସମ୍ପୂର୍ଣ୍ଣ ମାଗଣା କରାଯିବା ଉଚିତ୍। ଯଦ୍ୱାରା ଜଣେ ଗରୀବ ରୋଗୀ ଏଥିରୁ ଆଶ୍ୱସ୍ତି ପାଇପାରିବ