କଟକ(ରତ୍ନଗିରି ନ୍ୟୁଜ) :କଟକ ବାରବାଟୀ ଷ୍ଟାଡ଼ିୟମଠାରେ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଖିଳ ଭାରତୀୟ କନ୍ଷ୍ଟ୍ରକ୍ସନ୍ ମଜଦୁର ମହାସଂଘର ଦୁଇଦିନିଆ ସର୍ବଭାରତୀୟ ସମ୍ମିଳନୀ ବାରବାଟୀ ଷ୍ଟାଡ଼ିୟମ୍ସ୍ଥିତ କ୍ଲବ୍ହାଉସ୍ଠାରେ ଉଦଘାଟିତ ହୋଯାଇଛି । ଭାରତବର୍ଷର ୨୭ଟି ରାଜ୍ୟରୁ ପ୍ରାୟ ୩ଶହ ୫୦ରୁ ଊର୍ଦ୍ଧ୍ବ ପ୍ରତିନିଧୂମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ନିର୍ମାଣ ଶ୍ରମିକ ବା ମଜଦୁରମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆୟୋଜିତ ସମ୍ମିଳନୀରେ ଅଖିଳ ଭାରତୀୟ କନ୍ଷ୍ଟ୍ରକ୍ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସଭାପତି ସି.ପି. ପାଟିଲଙ୍କ ସଭାପତିତ୍ଵରେ କନ୍ଷ୍ଟ୍ରକ୍ସନ୍ ମଜଦୁର ମହାସଂଘର ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଅଛି । ସର୍ବଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ ବିନୟ କୁମାର ସିହ୍ନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଭାରତ ସରକାରଙ୍କର ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀନିବାସ ନାଇଡୁ ଯୋଗଦାନ କରି କେନ୍ଦ୍ର ସରକାରଙ୍କର ଶ୍ରମିକ କଲ୍ୟାଣ ବୋର୍ଡ଼ ମାଧ୍ୟମରେ ନିର୍ମାଣ ଶ୍ରମିକମାନେ କିପରି ସରକାରୀ ସୁବିଧା ପାଇପାରିବେ ସେ ସମ୍ବନ୍ଧରେ ଉଦ୍ବୋଧନ ଦେଇଥିଲେ ।
ଭାରତୀୟ ମଜଦୁର ସଂଘର କେନ୍ଦ୍ରୀୟ ଉପସଭାପତି ଜୟନ୍ତୀ ଲାଲଜୀ କାର୍ଯ୍ୟକ୍ରମରେ ଅତିଥ୍ ଭାବରେ ଯୋଗ ଦେଇ ରାଷ୍ଟ୍ରଗଠନ ନିର୍ମାଣ ଦିଗରେ ଶ୍ରମିକମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ପ୍ରତ୍ୟେକ ମଜଦୁର ରାଷ୍ଟ୍ରର ସମ୍ପଦ ଅଟନ୍ତି । ଭାରତୀୟ ମଜଦୁର ସଂଘ ମଜଦୁର ବା ଶ୍ରମିକମାନଙ୍କୁ ନ୍ୟାୟ ଦେବାପାଇଁ ଆଜୀବନ ସଂଗ୍ରାମ କରି ଆସିଛି ଏବଂ ଭବିଷ୍ୟତରେ ଏମାନଙ୍କର ସମସ୍ୟାର ସମାଧାନ ପାଇଁ ଲଢ଼େଇ ଜାରି ରଖିବ । ଅଖିଳ ଭାରତୀୟ କନ୍ଷ୍ଟ୍ରକ୍ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସଂଗଠନ ସମ୍ପାଦକ ବସନ୍ତ କୁମାର ସାହୁ ଅତିଥିମାନଙ୍କୁ ସ୍ଵାଗତ ପ୍ରଦାନ କରିଥିବା ବେଳେ ସଂଘର ରାଜ୍ୟ ସଭାପତି ପୃଥ୍ବୀରାଜ ପଣ୍ଡା ସ୍ଵାଗତ ଭାଷଣ ଦେଇଥିଲେ । ଶାଖାର ନେତ୍ରୀ ଜ୍ୟୋତ୍ସ୍ନା ସିଂ ସଂଘର ପାରମ୍ପରିକ ସଙ୍ଗୀତ ପରିବେଷଣ କରିଥିଲେ । ମହାସଂଘର ସାଧାରଣ ସମ୍ପାଦକ ରବିଶଙ୍କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଅଖିଳ ଭାରତୀୟ କନ୍ଷ୍ଟ୍ରକ୍ସନ୍ ମଜଦୁର ମହାସଂଘର ସଭାପତି ସି.ପି. ପାଟିଲ, ସାଧାରଣ ସମ୍ପାଦକ ରବି ଶଙ୍କର, ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ବିନୟ କୁମାର ସିହ୍ନା, ରାଜ୍ୟ ପ୍ରଭାରୀ ଗଣେଶ ପ୍ରସାଦ ମିଶ୍ର ପ୍ରମୁଖ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଅବସ୍ଥିତ ନେତାଜୀଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏଥିସହ ମୁଖ୍ୟ ଅତିଥିଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯିବା ପରେ ବାରବାଟୀ ଷ୍ଟାଡ଼ିୟମଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଉଦ୍ଘାଟନୀ ଉତ୍ସବ ଶେଷରେ ଓଡ଼ିଶା ପ୍ରଭାରୀ ଶ୍ରୀ ଗଣେଶଧୀ ଧନ୍ୟବାଦ ଅର୍ପଣ କରିଥିଲେ ।