ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ ) : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ହସ୍ପିଟାଲ, ବସ୍ତି ଓ କଲୋନୀରୁ ଡେଇଁ ଏବେ କରୋନା ବିଭିନ୍ନ ଜେଲରେ ମଧ୍ୟ ପଶିଛି । ବହୁ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ତେବେ ଏହାରି ଭିତରେ କରୋନାରେ ଜେଲ ଉପରୁ ବୋଝ କମାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମେ’ ୧୫ ସୁଦ୍ଧା ଓଡ଼ିଶାର ବିଭିନ୍ନ ଜେଲରୁ ୧୨୬ ଜଣ କଏଦୀ ସାମୟିକ ଭାବେ ମୁକ୍ତ ହୋଇଛନ୍ତି । ସ୍ପେଶାଲ ପାଲୋଲରେ ୧୨୬ ଜଣ କଏଦୀ ୩ ମାସ ପାଇଁ ଘରକୁ ଯାଇଛନ୍ତି । ତେବେ ପାରୋଲ ନେଇ ୪୪୯ ଜଣ କଏଦୀଙ୍କ ନାମ ତାଲିକାଭୁକ୍ତ ହୋଇଥିବାବେଳେ ୧୨୬ ଜଣ ଯାଇଥିବା ଜେଲ ଡିଆଇଜି କହିଛନ୍ତି । ଗତବର୍ଷ ପାରୋଲରେ ଯାଇଥିବା କଏଦୀଙ୍କୁ ପୁଣି ପାରୋଲ ଦେବାକୁ ସୁପ୍ରିମକୋର୍ଟ କହିଥିବା ସୂଚନା ମିଳିଛି ।