ବରୀ (ରତ୍ନଗିରି ନ୍ୟୁଜ) :-ସାଂପ୍ରତିକ ସମାଜରେ ଅଧିକାଂଶ ସାରସ୍ୱତ ସ୍ରଷ୍ଟା ପ୍ରେମ କବିତା ରଚନା କରିବାରେ ପାଗଳ ହୋଇଛନ୍ତି । ସାହିତ୍ୟ କାହାକୁ ଖୁସି କରିବା ପାଇଁ ଲେଖା ନଯାଉ । ବରିଷ୍ଟ ସାହିତ୍ୟିକମାନେ ଯୁବଗୋଷ୍ଠୀଙ୍କୁ ମାର୍ଗଦର୍ଶନ କରିବାର ଆବଶ୍ୟକତା ରହିଛି । ସାରସ୍ୱତ ସ୍ରଷ୍ଟାମାନେ ପରିବର୍ତ୍ତନ ପାଇଁ କଲମ ଚାଳନା କରିବାର ଉଚିତ । ଯେଉଁ ସାହିତ୍ୟ ସମାଜରେ ନୂଆ ଚେତନା ସୃଷ୍ଟି କରିବାରେ ସମର୍ଥ ହୋଇଥାଏ ତାହା କାଳଜୟୀ ସାହିତ୍ୟ ହୁଏ ବୋଲି ଶୋଷଣ ମୁକ୍ତ ସମାଜ ଗଠନରେ ସାହିତ୍ୟର ଭୂମିକା ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଅନ୍ତର୍ଗତ ମୂଷାଟିକିରିଠାରେ ଭଜହରି ମହାପାତ୍ର ସ୍ମୃତି ସଂସଦ ଓ ମାଟିଲଗ୍ନା ସାହିତ୍ୟ ସଂସଦ, ମାଲକାନଗିରିର ମିଳିତ ସହଯୋଗରେ ଡଃ ଭାଗ୍ୟଧର ସାହୁଙ୍କ ସଭାପତିତ୍ୱରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ସାରସ୍ୱତ କାର୍ଯ୍ୟକ୍ରମରେ କବି କିଶୋର ଚନ୍ଦ୍ର ପ୍ରଧାନ, ରବିନ୍ଦ୍ର ମହାପାତ୍ର, ଚୀତ୍ତରଂଜନ ନନ୍ଦ, ହୀରାଲାଲ ପାଢୀ, ଉମାକାନ୍ତ ବଳ, କିଶୋର ଚନ୍ଦ୍ର ଦାସ, ଅଜୟ କୁମାର ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ଶୋଷଣ ମୁକ୍ତ ସମାଜ ଗଠନ କ୍ଷେତ୍ରରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅନେକ ଦେଶରେ କଲମ ଚାଳନାଦ୍ୱାରା ବୈପ୍ଳବିକ ପରିବର୍ତ୍ତନ ହୋଇଛି । ତେଣୁ ଉତ୍ତମ ସାହିତ୍ୟ ସୃଷ୍ଟି ଦ୍ୱାରା ସାମାଜିକ ସୁସ୍ଥତା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ ।
ପ୍ରାରମ୍ଭରେ ଶିକ୍ଷାବିତ୍, କବି ସ୍ୱର୍ଗତ ଭଜହରି ମହାପାତ୍ରଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶୀ ନୃତ୍ୟାଙ୍ଗନା ଆଦ୍ୟାଶା ପୂଣ୍ୟପ୍ରଭା ନନ୍ଦଙ୍କ ସ୍ୱାଗତ ନୃତ୍ୟ ସାଙ୍ଗକୁ ଶରତ କୁମାର ଜେନା ଓ ସତ୍ୟବ୍ରତ ପରିଡ଼ାଙ୍କ ପାରମ୍ଭିକ ସଂଗୀତ ପରିବେଷଣ ଉପସ୍ଥିତ ସାହିତ୍ୟ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । କମ୍ରେଡ କିଶୋର ଚନ୍ଦ୍ର ପରିଡ଼ା, ଶିକ୍ଷକ ଦୟାନିଧି ସାମଲ, ରବିନ୍ଦ୍ର କୁମାର ପତି, ପ୍ରଣବ ଜେନା ପ୍ରମୁଖ ସାଂପ୍ରତିକ ସାହିତ୍ୟର ବିଭିନ୍ନ ଦିଗ ଓ ଭଜହରି ମହାପାତ୍ର ଙ୍କ କାଳଜୟୀ କୃତି ସଂପର୍କରେ ଆଲୋଚନା କରିଥିଲେ ।
କବି ପାବକ ମହାପତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାମ୍ବାଦିକ ରବିନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତି ଛାତ୍ର, ଛାତ୍ରୀ ଓ ଶିକ୍ଷକ, ସମାଜସେବୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କବି ଅମ୍ରିତା ସିଂ, ଅଜୟ କୁମାର ଜେନା ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି କୁଂଜ ବିହାରୀ ଦାଶ ସଭାପତିତ୍ୱ କରିଥିଲେ । ଉକ୍ତ କବିତା ପାଠୋତ୍ସବରେ କବି ସରୋଜ କୁମାର ଦାଶ, ସବିତା ନାୟକ, ଇଂ ଅକ୍ଷୟ କୁମାର ସାହୁ, ଅନିତା ବେହେରା, ଶରତ କୁମାର ଜେନା, ତୁଷାରକାନ୍ତ ପରିଡ଼ା, ବନ୍ଦନା ସାମଲ, ସତ୍ୟବ୍ରତ ପରିଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।