ବରୀ (ରତ୍ନଗିରି ନ୍ୟୁଜ): ଓଡିଶା ପ୍ରଶାସନିକ ସେବା ରେ ସଫଳତା ହାସଲ କରି ସମଗ୍ର ବରୀ ଅଞ୍ଚଳ ପାଇଁ ଗର୍ବ ପାଲଟିଛନ୍ତି ସୁଦୀପ୍ତ ମିଶ୍ର l ଆଜି ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ବରୀ ବ୍ଲକ ଅନ୍ତର୍ଗତ ରତ୍ନଗିରି ପଞ୍ଚାୟତର ପଟଣା ଗ୍ରାମର ସୁଦୀପ୍ତ ମିଶ୍ର (୨୭) ରାଜ୍ୟରେ ୧୧୪ ରାଙ୍କ ରଖି ସଫଳତା ହାସଲ କରିଛନ୍ତି। ସେ ନିଜ ଗାଁ ରେ ଥିବା ପଟଣା ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ପଟଣା ସ୍ଥିତ ସିଦ୍ଧେଶ୍ୱର ଉ. ପ୍ରା ବିଦ୍ୟାଳୟ ରେ ୬ଷ୍ଠ ଓ ୭ମ ଶ୍ରେଣୀ ପାଠ ପଢି ଥିଲେ। ସେହିଭଳି ଅଲିଆବାଦ ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ ପାସ୍ କରିଥିଲେ। ପରେ ସୁଦୀପ୍ତ ରେଭେନ୍ସା ମହାବିଦ୍ୟାଳୟର ରେ +୨ ଓ ଓଡିଶା କୃଷି ବୈଜ୍ଞାନିକ ବିଶ୍ଵ ବିଦ୍ୟାଳୟ ଭୁବନେଶ୍ବର ଉଚ୍ଚ ଶିକ୍ଷାଲାଭ କରିଥିଲେ।
ସେ ପ୍ରଥମ ଥର ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଦେଇ ପ୍ରାରମ୍ଭିକ ପରୀକ୍ଷାରେ ପାସ କରିଥିଲେ ମଧ୍ୟ ଲିଖିତ ପରୀକ୍ଷାରେ ବିଫଳ ହୋଇଥିଲେ। ଶ୍ରୀ ମିଶ୍ର ଉକ୍ତ ପରୀକ୍ଷା ଦ୍ବିତୀୟ ଥର ଦେଇ ଥିବା ବେଳେ ୧୧୪ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି। ତାଙ୍କ ବାପା ଶଶିକାନ୍ତ ମିଶ୍ର କମ୍ପଗଡ ସ୍ଥିତ ଭୁବନେଶ୍ବରୀ ନୋଡାଲ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାଯ୍ୟରତ ଥିବା ବେଳେ ମା ସ୍ନେହାଞ୍ଜଳୀ ମିଶ୍ର ଜଣେ ଗୃହିଣୀ। ଦିନକୁ ସେ ୧୦ରୁ ୧୨ ଘଣ୍ଟା ପାରିଶ୍ରମ କରନ୍ତି ବୋଲି ସୁଦୀପ୍ତ କହିଛନ୍ତି। ଏହି ଖର ପ୍ରଚାରିତ ହେବା ପରେ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ସମେତ ବରୀ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରିପୋର୍ଟ : ସନ୍ତୋଷ କୁମାର ରାଉତ, ବରୀ