ବରୀ (ରତ୍ନଗିରି ନ୍ୟୁଜ) : ବାଲାଜୀ ପାଠାଗାର, ଅଙ୍ଗାଳୋର ୫୧ ତମ ବାର୍ଷିକ ଉତ୍ସବ, କବିତା ପାଠ, ସମ୍ବର୍ଦ୍ଧନା ସମାରୋହ ଓ ଅନୁଷ୍ଠାନର ମୁଖପତ୍ର ‘ଲେଖା’ର ଶୁଭ ଉନ୍ମୋଚନ ଉତ୍ସବ ପାଠାଗାରର ସଭାପତି ଅମ୍ବିକା ପ୍ରସାଦ ସାମଲଙ୍କ ସଭାପତିତ୍ବରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ବାଲାଜୀଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ l
ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଦାମୋଦର ବେହେରା, ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ପଦ୍ମକାର ଗୁରୁ, ବିଶିଷ୍ଟ ଅତିଥି ଭାବେ ଓଟିଭିର ସମ୍ବାଦ ପାଠିକା ପୂଜାରାଣୀ ମୁଦୁଲି ପ୍ରମୁଖ ଯୋଗଦେଇ କହିଲେ ଯେ ଆମ୍ଭ ଭାରତୀୟ ପରମ୍ପରା ବିଶାଳ l ଏହି ବିଶାଳ ପରମ୍ପରାକୁ ହେୟଜ୍ଞାନ କରିବା ଉଚିତ ନୁହେଁ l ଆମ ଦେଶରେ ରହିଥିବା ତାଳପତ୍ରର ପୋଥି ଭିତରେ ସାହିତ୍ୟର ଆତ୍ମା ରହିଛି l ସାହିତ୍ୟ କେବଳ ବହିର ପୃଷ୍ଠା ଭିତରେ ନରହି ଜୀବନର ପୃଷ୍ଠାକୁ ଉନ୍ମୋଚନ କରିବା ଉଚିତ l ପ୍ରାଚୀନତାର ଦ୍ୱାହି ଦେଇ ଆମ ସଂସ୍କୃତିକୁ ହତାଦାର କରିବା ଉଚିତ ନୁହେଁ ବରଂ ଆମର ଗର୍ବ ଭାବେ ଆଦରି ନେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l

ଏହି ଅବସରରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସମବାୟବିତ ନୃସିଂହ ଚରଣ ସାମଲ, କୃଷ୍ଣଚନ୍ଦ୍ର ଥାଟୋଇ, ରାମଚନ୍ଦ୍ର ଦାଶ, ଆଦର୍ଶ ଦମ୍ପତି ଜୟନ୍ତୀ ଜେନା ଓ ଗୌରାଙ୍ଗ ଚରଣ ଜେନା, ସଂଗୀତ ନିର୍ଦେଶକ ଦିନେଶ କୁମାର ମଲ୍ଲିକ, ନାଟ୍ୟକାର ଖଗେଶ୍ୱର ସାହୁ, କବି ମହାପାତ୍ର ବନ୍ଦନା ସାମଲ, ସାହିତ୍ୟିକ ପ୍ରଭାତ ମଲ୍ଲିକ, ସୁବାସ ଚନ୍ଦ୍ର ସାହାଣୀ, ବିଦ୍ୟୁତପ୍ରଭା ଦାସ, ଧୀରେନ୍ଦ୍ର କୁମାର ମଲ୍ଲିକ, ପ୍ରଫୁଲ୍ଲ କୁମାର ସାମଲ, ନରହରି ସାମଲ, କରୁଣାକର ସେଠି, ପ୍ରସନ୍ନ କୁମାର ରାଉତ, ଗଗନ ବିହାରୀ ଆଚାର୍ଯ୍ୟ, କେଦାର ପ୍ରସାଦ ଆଚାର୍ଯ୍ୟ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସ୍ମୃତିରେ ସମ୍ବର୍ଦ୍ଧିତ କରାଯାଇଥିଲା l

କବି ଜିତେନ୍ଦ୍ର ବେହେରା, ମଣ୍ଟୁ ବଳବନ୍ତରାୟ,ସନ୍ତୋଷ କୁମାର ବେହୁରିଆ ଓ ସ୍ନେହଲତା ବିଶ୍ୱାଳଙ୍କ ସଂଯୋଜନାରେ ୫୦ରୁ ଉର୍ଦ୍ଧ କବି ସେମାନଙ୍କ କବିତା ପାଠ କରିଥିଲେ l ସମସ୍ତ କବିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ମୃତି ଫଳକ ଓ ପ୍ରଶଂସାପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l
ଅଙ୍ଗାଳୋ ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ପାଠାଗାରର ସମ୍ପାଦକ ବିଭୁତି ଭୂଷଣ ରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ପତ୍ରିକାର ମୁଖ୍ୟ ସମ୍ପାଦକ ଡ଼କ୍ଟର ଦେବ ପ୍ରସାଦ ସାମଲ ପତ୍ରିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ସାଧୁ ଚରଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l



