ବରୀ (ରତ୍ନଗିରି ନ୍ୟୁଜ) : ପୃଥିବୀର ପ୍ରତ୍ୟେକ ଶିଶୁ ନିରିହ କୋଳମ କଳିକା ସଦୃଶ । ଏମାନଙ୍କ ମନର କଥା ବୁଝି ସେମାନଙ୍କ ପାଇଁ ଲେଖିବା ସହଜ ସାଧ୍ୟ ନୁହେଁ ବୋଲି ଜଗା ଶିଶୁ ସାହିତ୍ୟ ସଂସଦ ନାଥପୁରର ୩୦ ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସାମନ୍ତସିଂହାର ଉଚ୍ଚ ବିଦ୍ୟାଳୟ, ଅଭିମୁନ୍ୟ ବାଲିଆଠାରେ ଆୟୋଜିତ ଉତ୍ସବରେ ସଂସଦର ସଭାପତି ବ୍ରଜମୋହନ ସାମଲ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥିଭାବେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଭୁବନେଶ୍ୱରର ନିର୍ଦ୍ଦେଶକ ଯଶୋବନ୍ତ ଜେନା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଆଲୋଚନ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ଶିଶୁ ସାହିତ୍ୟିକ ତଥା ସାମ୍ବାଦିକ ମହେଶ୍ୱର ବଳ ଓ ଭକ୍ତଚରଣ ସାହୁ ଯୋଗ ଦେଇ ସାମ୍ପ୍ରତିକ ସାହିତ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଅଧିକ ରୁ ଅଧିକ ଶିଶୁ ସାହିତ୍ୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଶିଶୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ସରୋଜକାନ୍ତ ପରିଜା, ସାମ୍ବାଦିକତା ପାଇଁ ସନ୍ଦିପ୍ତ ରାୟ, ସେକ୍ ଜଗିରୁଦ୍ଦିନ୍, ସମାଜ ସେବା ପାଇଁ ଅଶୋକ କୁମାର ବେହେରା ଏବଂ ଚିତ୍ରକର ଭାବେ ଚିତ୍ତରଂଜନ ମହାପାତ୍ରଙ୍କୁ ଅତିଥିମାନେ ମାନପତ୍ର, ଉପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜଗା ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ଅଜୟ କୁମାର ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଡଃ ନିରଂଜନ ସାହୁ ଅତିଥିପରିଚୟ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି ବିଶ୍ୱବନ୍ଦିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ଅଜୟ କୁମାର ଜେନା ଙ୍କ ଲିଖିତ କାଶ୍ମୀର କୋଳରେ ପାଞ୍ଚ ରାତି ଓ ମାସିକ ସମ୍ବାଦପତ୍ର ରତ୍ନଗିରିର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନ ସିଂହ ଓ ନିର୍ମଳା ମହାନ୍ତିଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଅଧ୍ୟାପକ ରବିନ୍ଦ୍ର କୁମାର ଦାସଙ୍କ ସଂଯୋଜନାରେ କବି ସବିତା ନାୟକ, ସରୋଜକାନ୍ତ ପରିଜା, ଅଧ୍ୟାପକ ପ୍ରଦୀପ୍ତ ଦାସ, ତପନ କୁମାର ଜେନା, ଜିତେନ୍ଦ୍ର କୁମାର ବେହେରା, ଗୋମତୀ ପଣ୍ଡା, ବିଜ୍ଞାନ ମହାନ୍ତି ପ୍ରମୁଖ ବହୁ କବି ଶିଶୁ କବିତା ପାଠ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।
କାର୍ଯ୍ୟକ୍ରମ ପରିଚାଳନାରେ ଚୈତନ୍ୟ ଚରଣ ଜେନା, ସନ୍ତୋଷ କୁମାର ରାଉତ, ପ୍ରୀତିରଂଜନ ସାହୁ, ମୁକ୍ତେଶ୍ୱର ସ୍ୱାଇଁ, ଅନାଦି ଚରଣ ଜେନା, ଅମିତ ଜେନା, ପ୍ରିୟବ୍ରତ ଜେନା, ଅଶ୍ୱିନୀ କୁମାର ଜେନା, ଜ୍ୟୋତିଷ ରଞ୍ଜନ ଜେନା, ତୁଷାର ଜେନା, ଓମ୍ ପ୍ରକାଶ ଜେନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂସଦର ଉପସଭାପତି ଶରତ କୁମାର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।