ବରୀ(ରତ୍ନଗିରି ନ୍ୟୁଜ) ୨୪/୦୮: ବରୀ ଅଂଚଳର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ,ତଥା ଗାନ୍ଧୀ-ବିନୋବା ବିଚାରର ମଣିଷ ସ୍ୱର୍ଗତ ବୀରବର ରଥଙ୍କ ୧୦୭ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ୧୯୧୫ ମସିହାରେ ଧାରପୁର ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରି ୧୯୩୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ବିଦ୍ୟାଳୟ ପରିତ୍ୟାଗକରି ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିବା ସହ ଦୁଇ ଦୁଇ ଥର ଜେଲ ଯାଇଥିଲେ ଓ ପରବର୍ତ୍ତୀ ସମୟରେ ଗାନ୍ଧୀ ବିଚାରକୁ ଜୀବନର ଶେଷ ପର୍ଯ୍ୟନ୍ତ ବଜାଇ ରଖିଥିଲେ । ଏହି ମହାନ ବ୍ୟକ୍ତିଙ୍କର ୧୦୭ ତମ ଜୟନ୍ତୀ ଉତ୍ସବ ଗୋପବନ୍ଧୁ – ରମାଦେବୀ ଆଶ୍ରମ ଆନୁକୁଲ୍ୟରେ ଧାରପୁର ସ୍ଥିତ ବୀରବାବୁଙ୍କ ପ୍ରତିମୂର୍ତ୍ତୀ ସ୍ଥଳରେ ଅବସର ପ୍ରାପ୍ତ ଶିକ୍ଷକ କାର୍ତ୍ତୀକ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଆଶ୍ରମର ସଂପାଦକ ନିମାଇଁ ରାୟ କାର୍ଯ୍ୟକ୍ରମକୁ ସଂଚାଳନ କରିବା ସହ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ସହ ଆଶ୍ରମ ତରଫରୁ ସୀତାରାଣୀ ଦେଓ , ଇନ୍ଦୁମତୀ ସାହୁ , ସ୍ଥାନୀୟ ବିଦ୍ୟାଳୟର ରେଣୁବାଳା ପ୍ରଧାନ ଓ ଦିବାକର ଜେନା ପ୍ରମୁଖ ନିଜର ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ଆସି ପ୍ରତିମୂର୍ତ୍ତୀରେ ମାଲ୍ୟାାର୍ପଣ କରିଥିଲେ । ମୁଖ୍ୟ ଅତିଥି ଜଗତସିଂହପୁରର ପ୍ରଖ୍ୟାତ ଗାନ୍ଧୀବାଦି ଗୈାରାଙ୍ଗ ଚରଣ ଦାସଙ୍କର ନାତି ସର୍ବୋଦୟ ବିଚାରକ ପ୍ରଶାନ୍ତ କୁମାର ଦାସ , ସମ୍ମାନୀତ ଅତିଥି ସାରସ୍ୱତ ସାଧକ ନିକୁଞ୍ଜ ବିହାରୀ ଭଞ୍ଜ ,ପଣ୍ଡିତ ବେଣୁଧର ପତି , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଦାସ ପ୍ରମୁଖ ନିଜ ନିଜ ବ୍ୟକ୍ତବ୍ୟରେ ବୀରବାବୁଙ୍କର ସମାଜ ପ୍ରତି ଥିବା ଅବଦାନ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶୁକଦେବ ସାହୁ , ଗୋପବନ୍ଧୁ ଦାସ, ଜିଲ୍ଲାପରିଷଦ ସଦସ୍ୟ ଅଶୋକ କୁମାର ସାମଲ, ଡ. ନିରଂଜନ ସାହୁ , ଗୀତିକାର ଦିଲ୍ଲିପ କୁମାର ଜେନା, ଗୋପାଳ କୃଷ୍ଣ ରଥ, କାଞ୍ଚନ ଜେନା ,ବଳରାମ ପଣ୍ଡା,ବିଦୁଲତା ଜେନା, ଶରତ କୁମାର ଜେନା, ସମୀର ପାଣି , ମକର ଚରଣ ଘଡେଇ, କର୍ଣ୍ଣ ଚନ୍ଦ୍ର ଘଡାଇ ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖିଥିଲେ ।
ସର୍ବୋଦୟ କର୍ମୀ ରମାକାନ୍ତ ମଣ୍ଡଳ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବସନ୍ତ କୁମାର ଭୂୟାଁ, ଅଭିରାମ ଦାସ, ବିଜୟ ଜେନା, ଗିରିନ୍ଦ୍ର ପତି ,ଗୁରୁଚରଣ ପତି ପ୍ରମୁଖ ସହଯୋଗ କରିଥିଲେ ।