ଦେଶରେ ଆକାଶ ଛୁଆଁ ହେବାରେ ଲାଗିଛି ତୈଳ ଦର । ଅନେକ ସ୍ଥାନରେ ପେଟ୍ରୋଲ ଦର 100 ମଧ୍ୟ ଟପିସାରିଲାଣି । କରୋନା ସମୟରେ ଏହି ଅହେତୁକ ପେଟ୍ରୋଲ ଦର ବୃଦ୍ଧି କାରଣରୁ ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି । ତେଲର ଏପରି ଦର ବୃଦ୍ଧିକୁ ବିରୋଧ କରି ଆସନ୍ତା 11ତାରଖରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି । ଏହାର ମୂଲ୍ୟ ହ୍ରାସ କରିବାକୁ ଦାବି କରିବ । ଏନେଇ ପ୍ରେସ କନଫରେନ୍ସ କରି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଏହି ଅବସରରେ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ବଜାୟ ରଖାଯିବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। ଏଥିସହ ୧୧ ତାରିଖର କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା, ବ୍ଲକ, ନଗର ସ୍ତରରେ ତୁରନ୍ତ ଜିଲ୍ଲା କଂଗ୍ରେସ ସଭାପତିମାନେ ପ୍ରସ୍ତୁତି ବୈଠକ କରିବାକୁ ସେ କହିଛନ୍ତି । ଏଥିସହ ବିକ୍ଷୋଭ ସ୍ଥଳକୁ ପେଟ୍ରୋଲ ଓ ଡିଜେଲ ବ୍ୟବହୃତ କୌଣସି ଯାନବାହନ ବ୍ୟବହାର କରି ନ ଆସିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।