ଆମ ସାହିତ୍ୟ ପରିବାର ରାଜ୍ଯସ୍ତରୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ

ଯାଜପୁର (ରତ୍ନଗିରି ନ୍ୟୁଜ) : ଆମ ସାହିତ୍ୟ ପରିବାର ବ୍ୟାସନଗର ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ସଂସ୍କୃତି ଓ ସୃଜନଶୀଳତାର ସୁନ୍ଦର ସମନ୍ୱୟରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ ସଂଖ୍ୟାରେ ସାହିତ୍ୟିକ, କବି, ଗାଳ୍ପିକ ଓ ସାହିତ୍ୟପ୍ରେମୀ ବ୍ୟକ୍ତିମାନେ ଯୋଗଦେଇଥିଲେ।ସ୍ଥାନୀୟ ଉତ୍ସବ ପ୍ୟାଲେସ ପରିସରରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବ୍ୟଙ୍ଗକାର ତଥା ସ୍ତମ୍ଭକାର ଜ୍ଞାନ ହୋତା କହିଲେ ଯେ ସାହିତ୍ୟ ମଧ୍ୟ ଅନୁଭୂତିରୁ ସୃଷ୍ଟି ହେଇଥାଏ। ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନାଘଟା ଛାଇ ଯାଇଥିବା ବେଳେ ସାହିତ୍ୟିକ ଟିଏ ଖୋଜିଥାଏ ଯୁଦ୍ଧରେ ସହିଦ ହୋଇଥିବା ସୈନିକ ଟିକୁ। ଯୁଦ୍ଧ କରି କିଏ ନୋବେଲ ପୁରସ୍କାର ପାଇଁ ଲାଳାୟିତ ଥିବା ବେଳେ ସାହିତ୍ୟିକ ଖୋଜିଥାଏ ଯୁଦ୍ଧରେ ମାଆକୁ ହରାଇଥିବା କୋମଳମତୀ ଶିଶୁର କ୍ରନ୍ଦନକୁ। ଏହିଭଳି ଭାବେ ଲେଖକଟିଏ ସମାଜର ଦର୍ପଣ ଭାବେ କାମ କରେ ବୋଲି ଶ୍ରୀ ହୋତା କହିଥିଲେ। ଯୁବ କଥାଶିଳ୍ପୀ ଡ଼. ପ୍ରଜ୍ଞାପ୍ରବର୍ତ୍ତିକା ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମକାଳୀନ ଓଡ଼ିଆ ସାହିତ୍ୟରେ ଯୁବ ପିଢ଼ିର ଭୂମିକା ଓ ସୃଜନଶୀଳତା ବିଷୟରେ ମତ ପ୍ରକାଶ କରିଥିଲେ। ସମ୍ମାନିତ ବକ୍ତା ଭାବେ ଦାନଗଦି ବିଡ଼ିଓ ପ୍ରଦୀପ କୁମାର ସେଠୀ ଯୋଗଦେଇ ସାହିତ୍ୟ ଓ ସମାଜ ମଧ୍ୟରେ ଥିବା ଗାଢ଼ ସମ୍ପର୍କକୁ ଅବତାରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଜଗବନ୍ଧୁ ସାମଲ ସାହିତ୍ୟ ମାନବିକତାକୁ ଜାଗ୍ରତ କରିବାର ଶକ୍ତି ରଖିଥାଏ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ।
    ଉତ୍ସବର ପ୍ରଥମ ଅଧିବେଶନରେ କବିତା ଆସର ଆୟୋଜନ କରାଯାଇଥିଲା। କବି ତଥା ଅନୁଷ୍ଠାନର ସହସମ୍ପାଦିକା ମଧୁସ୍ମିତା ନାୟକ, ଅନିନ୍ଦିତା ବେହେରା, ଡକ୍ଟର ଅମୁଲ୍ୟ କୁମାର ସେନାପତି ଏବଂ ତାନଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ୧୦୦ରୁ ଅଧିକ କବି ଓ କବୟିତ୍ରୀ ସେମାନଙ୍କ ସ୍ୱରଚିତ କବିତା ଆବୃତ୍ତି କରି ସାହିତ୍ୟପ୍ରେମୀଙ୍କୁ ମନମୁଗ୍ଧ କରିଥିଲେ ଏବଂ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା ପତ୍ର ଗ୍ରହଣ କରିଥିଲେ।
ସଭା ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ପଣ୍ଡିତ ଅକ୍ଷୟ କୁମାର ଦାଶ ତାଙ୍କ ବକ୍ତବ୍ୟରେ ସାହିତ୍ୟ ଅନୁଷ୍ଠାନ ମାନଙ୍କର ଭୂମିକା ଏବଂ ସେମାନଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ନେଇ ଆମ ସାହିତ୍ୟ ପରିବାରର ଅନୁଷ୍ଠାନ ମନଙ୍କୁ ଉତ୍କର୍ଷ ସମ୍ମାନ ପ୍ରଦାନ କରିବାର ପରମ୍ପରା ଆମକୁ ବେଶ ଆନନ୍ଦ ପ୍ରଦାନ କରିଛି ବୋଲି କହିଥିଲେ।


     ସମାରୋହରେ ରାଜ୍ୟର ୮ଟି ଜିଲ୍ଲାରୁ ଆସିଥିବା ୧୪ ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ସହିତ ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ ସର୍ବକାଳୀନ ସଫଳତା ପାଇଁ ୪ଟି ସାହିତ୍ୟ ଅନୁଷ୍ଠାନକୁ “ଉତ୍କର୍ଷ ସମ୍ମାନ” ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ‘ଚଲାପଥ’ କୋରାଇ ମଣ୍ଡଳ ସାହିତ୍ୟ ସଂସଦ, ଯାଜପୁର ଜିଲ୍ଲା ଲେଖକ ସମ୍ମେଳନ ଏବେ ଜିଲ୍ଲା ଲେଖିକା ସଂସଦ ଯାଜପୁରକୁ ସମ୍ମାନିତ କରାଯାଇଥିଲା।
   ଅନୁଷ୍ଠାନର ସମ୍ପାଦକ ସରୋଜ କୁମାର ଶତପଥୀ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ସଭାପତି ଶ୍ରୀ ଅଲେଖ ପ୍ରାସାଦ ମହାରଣା ସ୍ୱାଗତ ଭାଷଣ ଦେଇଥିଲେ। ସେହିପରି ଆମ ସାହିତ୍ୟ ପରିବାରର ସଂଗଠନ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁଜିତ କୁମାର ମଲ୍ଲିକ ସଭାମଞ୍ଚକୁ ପରିଚାଳନା କରିଥିଲେ। ମମତାମୟୀ ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଭ୍ୟ ମହେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର ସମାରୋହରେ ୨୦୦ରୁ ଅଧିକ ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାହିତ୍ୟମୟ ଓ ସ୍ମରଣୀୟ କରିଥିଲେ। ଉତ୍ସବରେ ଅନୁଷ୍ଠାନର କର୍ମକର୍ତ୍ତା ଅଶାନ୍ତି ସାମଲ, ପ୍ରତିଭା ପାତ୍ର, ପ୍ରସନ୍ନ ପରିଜାଙ୍କ ସମେତ ସମସ୍ତ ସଦସ୍ୟ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଅତିଥିମାନେ “ଆମ ସାହିତ୍ୟ ପରିବାର”ର ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *