ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନକୁ ଆଜି ୧୦୦ ଦିନ ପୂରିବ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀ ଆନ୍ଦୋଳନ କରାଯାଉଛି ।ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବାରୁ ଆଗକୁ ଆନ୍ଦୋଳନ ଜାରି ରହିବ ଏବଂ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଶୁକ୍ରବାର ଦିନ ସିଂଘୁ ଆନ୍ଦୋଳନସ୍ଥଳରେ ଚାଷୀ ନେତାମାନେ ଘୋଷଣା କରିଛନ୍ତି।
ଆଜି ୧୦୦ ଦିନ ପୁରୁଥିବାରୁ ଚାଷୀ ସଂଗଠନମାନେ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ କରିବେ। ଦିଲ୍ଲୀରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କେଏମ୍ପି ଏକ୍ସପ୍ରେସ୍ୱେରେ ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଗୋଟିଏ ପଟେ ଚାଷୀ ଆନ୍ଦୋଳନ ଦିଗହରା ହୋଇଯାଇଥିବା ଅଭିଯୋଗ ଆଣି କେତେକ ସଂଗଠନ ଏଥିରୁ ଓହରୁଥିବା ବେଳେ ଅନ୍ୟପଟେ ପଂଜାବ ଏବଂ ହରିୟାଣାରୁ ବହୁ ସଂଖ୍ୟାରେ ଯୁବକ ଆନ୍ଦୋଳନରେ ସାମିଲ ହେଉଛନ୍ତି। ସଂପ୍ରତି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି ଏବଂ ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ ପାଇଁ ଚାଷୀ ସଂଗଠନମାନେ ଯୋଜନା କରୁଛନ୍ତି। ଆଗାମୀ ୮ ତାରିଖ ଦିନ ଦେଶବ୍ୟାପୀ ଧାରଣାସ୍ଥଳଗୁଡ଼ିକରେ ମହିଳାମାନେ ଆନ୍ଦୋଳନକୁ ପରିଚାଳନା କରିବେ। ଏହି ଦିବସକୁ ମହିଳା କୃଷକ ଦିବସ ଭାବେ ପାଳନ କରାଯିବବୋଲି ସଂଗଠନ ପାଖରୁ କୁହାଯାଇଛି ।