ତ୍ରିରଙ୍ଗାରେ ଗୁଡେଇ ହୋଇ ଆସିଥିବା ଶହୀଦ ଯବାନଙ୍କ କଫିନରେ ଲାଗିଥିବା ଫଟୋକୁ ୪ ବର୍ଷର ନିରୀହ ସେଜଲ ଏକ ଲୟରେ ଦେଖୁଥାଏ। ଗାଁରେ ଶୋକାକୁଳ ପରିବେଶ ଓ ଗ୍ରାମବାସୀଙ୍କ ଆଖିରେ ଲୁହ। କେହି କେହି ଭୋ ଭୋ ହୋଇ କାନ୍ଦୁଥିଲେ। ଏମାନଙ୍କ ମଧ୍ୟରେ ସେଜଲର ଆଖି ସମସ୍ତଙ୍କୁ ଦେଖି ପୁଣିଥରେ କଫିନରେ ଲାଗିଥିବା ଫଟୋ ଉପରେ ଅଟକି ଯାଇଥିଲା। ନିରୀହ ସେଜଲର ଆଖିରେ ଲୁହ ନଥିଲା କିନ୍ତୁ ଆଖିରେ ଅନେକ ପ୍ରଶ୍ନ ଥିଲା ଏବଂ ସେହି ପ୍ରଶ୍ନ ଆପଣ ବି ପଢିପାରିବେ।
୩ ଦିନ ପୂର୍ବରୁ ତା ବାପା ତା ସଂଗେ ଥିଲେ କିନ୍ତୁ ଆଜି ବାପାଙ୍କ ଜାଗାରେ ଅଛି କେବଳ ବାପାଙ୍କ ଫଟୋ। ନିରୀହ ସେଜଲ ମନରେ ଅନେକ ପ୍ରଶ୍ନ ଯେ ସବୁଆଡେ ବାପାଙ୍କ ଫଟୋ ହିଁ କାହିଁକି ନଜର ଆସୁଛି ସେ କାହିଁକି ନଜର ଆସୁନାହାନ୍ତି ? ବାପାଙ୍କ ଫଟୋ ପାଖରେ ଲୋକେ ଫୁଲ କାହିଁକି ଅର୍ପଣ କରୁଛନ୍ତି ? ମା, ଜେଜେମା, ଦାଦା-ଖୁଡି ଓ ଅନ୍ୟମାନେ କାହିଁକି କାନ୍ଦୁଛନ୍ତି ? ଯେଉଁ ୟୁନିଫର୍ମ ପିନ୍ଧି ବାପା କାମକୁ ଯାଆନ୍ତି ସେହି ୟୁନିଫର୍ମ ପିନ୍ଧା ଏତେ ଲୋକ କାହିଁକି ଏଠାକୁ ଆସିଛନ୍ତି ? ହେଲେ ବାପା କାହିଁକି ନଜର ଆସୁନାହାନ୍ତି ? ଏହି ଦୃଶ୍ୟ ଛତିଶଗଡ଼ ରାଜଧାନୀ ରାୟପୁରରୁ ପାଖାପାଖି ୧୦୦ କିଲୋମିଟର ଦୂର କାଙ୍କେର ଜିଲ୍ଲା ପଣ୍ଡରପାନୀ ଗାଁ ସ୍କୁଲ ମଇଦାନର।
ବିଜାପୁର ଜିଲ୍ଲାରେ ଗତ ୩ ତାରିଖରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨୨ ଯବାନ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପଣ୍ଡରପାନୀ ଗାଁର ଡିଷ୍ଟ୍ରିକ୍ତ ରିଜର୍ଭ ଗାର୍ଡର ପ୍ରଧାନ ଆରକ୍ଷକ (୩୫ ବର୍ଷ) ରମେଶ କୁମାର ଜୁର୍ରି ମଧ୍ୟ ଥିଲେ।
ପୁଅକୁ ହରାଇ ମା’ ଆଖିରେ ଆଖିରେ ଲୁହ। କିଛି ପଚାରିଲେ ପାଟିରୁ କଥା ବଦଳରେ ଆଖିରୁ ଦୁଇ ଧାର ଲୁହ ଝରି ଆସୁଛି। ରମେଶଙ୍କ ମାଉସୀ ବିଦ୍ୟା କହିଛନ୍ତି ରମେଶଙ୍କ ପତ୍ନୀ ଶନିବାର ସନ୍ଧ୍ୟାରେ ରମେଶଙ୍କୁ ଫୋନ କରିଥିଲେ କିନ୍ତୁ ତାଙ୍କ ଫୋନ ଲାଗିନଥିଲା। ଟିଭିରେ ଦେଖିଲେ ବିଜାପୁର ସୁକମା ସୀମାରେ ଏନକାଉଣ୍ଟର ହୋଇଛି ଅନେକ ଜଣ ପ୍ରାଣ ହରାଇଛନ୍ତି। ସେତେବେଳେ ପରିବାର ଲୋକ ଜାଣିବାକୁ ପାଇଲେ ଯେ ପୁଅ ଆଉ ଏ ଦୁନିଆରେ ନାହିଁ। ରମେଶଙ୍କ ମାଉସୀ କହିଛନ୍ତି କିଛି ଦିନ ପୂର୍ବରୁ ରମେଶଙ୍କ ମା’ ପୁଅର ଟ୍ରାନ୍ସଫର ଘର ପାଖକୁ କରିବାକୁ ଜଗଦଲପୁରରେ ପୋଲିସ ଅଧିକାରୀଙ୍କୁ ଆବେଦନ କରିଥିଲେ।
ଦୁଇ ଭାଇ ମଧ୍ୟରେ ରମେଶ ବଡ। ପିତାଙ୍କ ମୃତ୍ୟୁ ପରେ ରମେଶଙ୍କ କାନ୍ଧରେ ଘରର ଦାୟିତ୍ୱ ଥିଲା। ଘଟଣାର ଦୁଇ ଦିନ ପୂର୍ବରୁ ରମେଶ ନିଜ ଭାଇ ସହ କଥା ହୋଇଥିଲେ। ଆଉ ଦିନ ପରେ ଟିଭିରେ ସମାଚାର ଦେଖି ସେ ଜାଣିଲେ ଯେ ତାଙ୍କ ଭାଇ ଶହୀଦ ହୋଇଯାଇଛନ୍ତି। ୨୦୧୫ରେ ରମେଶଙ୍କ ବାହାଘର ହୋଇଥିଲା। ତାଙ୍କର ୪ ବର୍ଷର ଝିଅ ଅଛି।ସୋମବାର ୧୨ଟା ସମୟରେ ରମେଶଙ୍କ ଅନ୍ତିମ ସଂସ୍କାର ହୋଇଛି। ଯେତେବେଳେ ରମେଶଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଥିଲା ଗ୍ରାମବାସୀ ରମେଶ ଅମର ରହେ…ନାରା ଦେଇଥିଲେ। ଲୋକଙ୍କ ନାରା ଓ କାନ୍ଦ ଶବ୍ଦ ମଧ୍ୟରେ ଏକ ଧୀର ଶବ୍ଦ ସମସ୍ତଙ୍କୁ ନିଜ ଆଡକୁ ଟାଣିଥିଲା। ସେହି ଶବ୍ଦ ହେଲା ରମେଶଙ୍କ ପତ୍ନୀ ସୁନିତାଙ୍କର। କାନ୍ଦି କାନ୍ଦି ସେ କେବଳ ଗୋଟିଏ ହିଁ ପ୍ରଶ୍ନ କରି ଚାଲିଥିଲେ ଯେ ‘ମୋ ବାବୁ କୁଆଡେ ଚାଲିଗଲେ ?’ ମୋ ବାବୁ ସଂଗେ ଦେଖା କରିଦିଅ’ ଏପଟେ ୪ ବର୍ଷର ଝିଅ ସେଜଲର ନଜର ବାସ କଫିନରେ ଲାଗିଥିବା ବାପାଙ୍କ ଫଟୋ ଉପରେ ହିଁ ଅଟକି ରହିଥିଲା। ଏମିତି କଅଁଳ ବୟସରେ ଏସବୁ ବୁଝିବା ତା ପାଇଁ ସହଜ ନୁହେଁ। ଘର ପାଖ ସ୍କୁଲ ପଡିଆରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରାଯାଇଥିଲା। ଗ୍ରାମବାସୀ ଶହୀଦ ରମେଶଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Related Stories
December 9, 2024
December 1, 2024