ଭୁବନେଶ୍ୱର : “ଲକ୍ଡାଉନ୍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି। ଆମର ଅର୍ଥନୀତି, ଆମର ସାମାଜିକ ଜୀବନ ଓ ପିଲାମାନଙ୍କ ପାଠପଢ଼ା- ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି। ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱାଭାବିକ ଅବସ୍ଥା ଫେରିଛି । ଆମେ କେହି ଲକ୍ଡାଉନ୍ ଫେରୁ ବୋଲି ଚାହୁଁ ନାହୁଁ। ଆଉ ଲକ୍ଡାଉନ୍ ନ ଫେରିବାର ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା।” ଆଜି ରାଜ୍ୟବାସୀଙ୍କୁ କରୋନା ସଂପର୍କରେ ସମ୍ବୋଧିତ କରିବା ଅବସରରେ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ସତର୍କ ରହିଲେ ଲକ୍ଡାଉନ୍ ଭଳି ସ୍ଥିତି ଆଉ ଉପୁଜିବ ନାହିଁ। ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବା। ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା। କିନ୍ତୁ ବେକରେ ଝୁଲାଇକରି ନୁହେଁ। ମାସ୍କକୁ ଠିକ୍ ଭାବରେ ପାଟି ଓ ନାକକୁ ଘୋଡ଼ାଇ ପିନ୍ଧିବା। ଘରକୁ ଫେରିଲେ ସାବୁନ୍ରେ ଭଲ କରି ହାତ ଧୋଇବା। ମୁହଁ, ନାକ ଓ ଆଖିରେ ବାରମ୍ୱାର ହାତ ମାରିବା ନାହିଁ। ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ।