ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଆସନ୍ତା ୧ ତାରିଖରେ ସଂସଦରେ ଆଗତ କରିବେ। କରୋନା ମହାମାରୀ ପାଇଁ ଉଭୟ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ସେହି ଦୃଷ୍ଟିରୁ ଉଭୟ ଅର୍ଥନୀତିକୁ ମଜଭୁତ କରିବା ସହିତ ଲୋକଙ୍କୁ ରିହାତି ଦେବାଲାଗି ଅର୍ଥମନ୍ତ୍ରୀ ଅନେକଗୁଡ଼ିଏ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ଯଦିଓ ଟିକସ ସଂଗ୍ରହ ରାଶି ବଢ଼ାଇବା ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ବାରୋପ କରିବେ ତଥାପି ସମସ୍ତଙ୍କର ନଜର ରହିଛି ବଜେଟରେ କିଛି ନା କିଛି ଆଶ୍ବାସନା ସେମାନଙ୍କୁ ମିଳିବ।
ଆଗାମୀ ବଜେଟ୍ ପୂର୍ବର ଅନ୍ୟ ବଜେଟ୍ ତୁଳନାରେ ଭିନ୍ନ ରହିବ ବୋଲି ଅର୍ଥମନ୍ତ୍ରୀ ପୂର୍ବରୁ କହିସାରିଛନ୍ତି। ସେହି ଦୃଷ୍ଟିରୁ ଆୟକରରେ ଅନେକ କିଛି ରିହାତି ମିଳିବ ବୋଲି ଆଶା କରାଯାଉଛି। ଆୟକର ସ୍ଲାବକୁ ବ୍ୟାପକ କରିବା ପାଇଁ ଯଦିଓ ଦାବି ହେଉଛି କିନ୍ତୁ ସରକାର ଏହା ନକରି ବି ପାରନ୍ତି। ତେବେ ଆୟକର ଧାରାର ୮୦ (ଗ)ରେ ପ୍ରଦାନ କରାଯାଉଥିବା ସଞ୍ଚୟ ଓ ନିବେଶଭିତ୍ତିକ ଟିକସ ଛାଡ଼ ସୀମାକୁ ବଢ଼ାଯାଇପାରେ। ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ଓ ନିବେଶ ଉପରେ ଏହି ଧାରାରେ ଆୟକର ରିହାତି ଲୋକଙ୍କୁ ମିଳୁଛି। କିନ୍ତୁ ଏହାକୁ ଦୁଇ ଲକ୍ଷ କିମ୍ବା ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ବଢ଼ାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।