ବରୀ : ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ ଭରି ରହିଛି ଅନ୍ୟେ ଐତିହ୍ୟ ସ୍ଥଳ । ସ୍ୱାଧିନତା ସଂଗ୍ରାମୀଙ୍କ ପୁଣ୍ୟ ପୀଠ ଭାବେ ବରୀ ଇତିହାସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେବେ ଏହି ସବୁ ପୀଠର ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଦିନିକିଆ ବରୀ ଗସ୍ତରେ ଗୁରୁବାର ଦିନ ଆସିଥିଲେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର । ସେ ପ୍ରଥମେ ଅଟିରା ପଞ୍ଚାୟତର ସନ୍ଥନ ମଠ ନିକଟରେ ପ୍ରସ୍ତାବିତ ଆର୍ଦଶ ବିଦ୍ୟାଳୟ ନିର୍ମାଣ ସ୍ଥାନ ପରିଦର୍ଶନ କରିଥିଲେ । ପରେ ପରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ସମାଧି ପୀଠ ପରିଦର୍ଶନ କରି ଏହାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପୀଠର କିପରି ଉନ୍ନତି ହୋଇପାରିବ ସେ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ବରୀ ମାଉଣ୍ଡ ଠାରେ ସୋମବାର ଓ ଗୁରୁବର ବସୁଥିବା ସାପ୍ତାହିକ ହାଟ ଯୋଗୁ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଏହି ହାଟକୁ ଜମ୍ବୁଢିଅ ପଡ଼ିଆକୁ ସ୍ଥାନାନ୍ତର କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ଶହୀଦ ପୀଠ କଳାମାଟିଆ ଗସ୍ତ କରି ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ ପୀଠର ବିକାଶ ପାଇଁ ବରୀ ବିଧାୟିକା ସୁନନ୍ଦା ଦାସ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବରୀପାଳ ଠାରେ ନିର୍ମିତ ସ୍ୱାଧିନତା ସଂଗ୍ରାମୀ ଭବନ ଓ ବୌଦ୍ଧ ପୀଠ ରତ୍ନଗିରିକୁ ସଂଯୋଗୀକରଣ ପାଇଁ ଏକ ବାଇପାସ୍ ରାସ୍ତା ନିର୍ମାଣ ନିମନ୍ତେ କ୍ଷେତ୍ର ପରିଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟଗୁଡିକ ଶୀଘ୍ର ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡିଓ ଶିବାନନ୍ଦ ସ୍ୱାଇଁ, ତହସିଲଦାର ସରୋଜକାନ୍ତ ନାୟକ, ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ, ଅରବିନ୍ଦ ମହାନ୍ତି, ସରପଞ୍ଚ ସନ୍ତୋଷ ସାମଲ, ସମୀର ମଲିକ, ସହକାରୀ ଯନ୍ତ୍ରୀ ନେହେରୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 14, 2024