ଭୁବନେଶ୍ୱର: ହୁ ହୁ ବଢୁଥିବା କରୋନା ସଂକ୍ରମଣରେ ରୋକ୍ ଲଗାଇବାକୁ ରାଜ୍ୟ ସରକାର ଲକଡାଉନ୍ କୁ ଶେଷ ବିକଳ୍ପ ଭାବେ ନେଇଛନ୍ତି । ଆସନ୍ତା ୫ ତାରିଖ ବୁଧବାର ସକାଳୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଲୋକମାନେ ୫୦୦ ମିଟର ଦୂରତା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା କିଣି ପାରିବେ । ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ରହିବ ନାହିଁ । ପୂର୍ବଭଳି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ୍ ବଳବତ୍ତର ରହିବ ।
ଲକଡାଉନ୍ ରେ କ’ଣ ବନ୍ଦ: ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ଅଡିଟୋରିୟମ୍, ମାର୍କେଟ୍, ହାଟ, ଯାତ୍ରା, ଅପେରା, ସେଲୁନ୍, ସ୍ପା, ବିୟୁଟି ପାର୍ଲର, ସାମାଜିକ ସଭା, ରାଜନୈତିକ ସଭା, ଧାର୍ମିକ ସଭା, ପ୍ରଦର୍ଶନୀ, ଯାତ୍ରୀବାହୀ ବସ୍, ଟ୍ୟାକ୍ସି, ଅଟୋ ।
କ’ଣ ଖୋଲା ରହିବ: ହସ୍ପିଟାଲ୍, ନର୍ସିଂହୋମ୍, ଔଷଧ ଦୋକାନ ଖୋଲା ରହିବ । ସୋମବାରରୁ ଶୁକ୍ରବାର ସକାଳ ୬ ରୁ ଦିନ ୧୨ଟା ଯାଏଁ ରାସନ୍ ଦୋକାନ, ଗ୍ରୋସରି ଦୋକାନ, ଫଳ ଦୋକାନ, ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ(ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ) । ଅନଲାଇନ୍ ଡେଲିଭରି ବୟ ଯାତାୟତକୁ ଅନୁମତି ।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ବିବାହ କାର୍ଯ୍ୟ ହୋଇପାରିବ । ଏଥିରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ । ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ଯୋଗଦେବେ । ଧାର୍ମିକ ଅନୁଷ୍ଠାନରେ ନୀତିକାନ୍ତି ହେବ । କିନ୍ତୁ ଦର୍ଶନ ଅନୁମତି ନାହିଁ ।