ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଚିନ୍ତା ରେ ଏବେ ମହାରାଷ୍ଟ୍ର ସରକାର । ୧୩୧ ଦିନ ଧରି ନିୟନ୍ତ୍ରଣରେ ଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ୧୩୬୧କୁ ବୃଦ୍ଧି ପାଇଛି । ଯଦି ଏହା ନିୟନ୍ତ୍ରଣକୁ ନ ଆସେ ତେବେ ମୁମ୍ବାଇରେ ଆଉଥରେ ତାଳବନ୍ଦ ଘୋଷଣା କରାଯିବ ବୋଲି ମନ୍ତ୍ରୀ ଅସଲାମ ଶେଖ କହିଛନ୍ତି । ମହାରାଷ୍ଟ୍ରରେ ଆଠ ଦିନ ମଧ୍ୟରେ ସଂକ୍ରାମିତଙ୍କ ସଂଖ୍ୟା ୧୧,୧୪୧ରେ ପହଞ୍ଚିଛି । ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟର ବୈଠକରେ ବର୍ଦ୍ଧିତ କୋଭିଡ୍-୧୯ ସଂଖ୍ୟାକୁ ନେଇ ଚିନ୍ତ। ପ୍ରକଟ କରାଯିବା ସହ ସେପ୍ଟେଟର ମାସର ଶିଖର ସମୟ ପରି କେତେକ ସ୍ଥାନରେ ଆଂଶିକ ତାଲାବନ୍ଦ ଘୋଷଣା ପାଇଁ ବିଚାର କରାଯାଇଥିବା ଜଣାପଡିଛି ।
ମହାରାଷ୍ଟ୍ରରେ ସକ୍ରିୟ ମାମଲା ୯୭,୯୮୩ ଥିବାବେଳେ ମୁମ୍ବାଇରେ ଏହା ୯,୩୧୯। କୋଭିଡ୍-୧୯ ସଂଖ୍ୟାରେ ବର୍ତ୍ତମାନ ଜାରି ରହିଥିବା ଅଭିବୃଦ୍ଧି ହାର ଯଦି ଅବ୍ୟାହତ ରହେ ତେବେ ଏପ୍ରିଲ ସୁଦ୍ଧା ରାଜ୍ୟରେ ପୁଣି କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେଣୁ, ପରିସ୍ଥିତି ଆଉ ଅଧିକ ବିଗିଡ଼ିବା ପୂର୍ବରୁ ପ୍ରତିଷେଧ ମୂଳକ ବ୍ୟବସସ୍ଥା ଗ୍ରହଣ କରିବାକୁ ସେମାନେ ମହାରାଷ୍ଟ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପରିସ୍ଥିତି ଅନୁଧ୍ୟାନ ପାଇଁ ଅନ୍ୟ ଏକ କେନ୍ଦ୍ରୀୟ ଦଳ ମଧ୍ୟ ମହାରାଷ୍ଟ୍ର ରାଜ୍ୟ ଗସ୍ତରେ ଆସୁଥିବା ଜାଣିବାକୁ ମିଳିଛି।