ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) : ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି । ଏହି ଉପଲକ୍ଷେ ଆଜି ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ କହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଥିଲା। ଗାନ୍ଧିଜୀ ଓଡ଼ିଶାର ଅନେକ ସ୍ଥାନରେ ପଦଯାତ୍ରା କରିଥିଲେ। ଗାନ୍ଧିଜୀ କଟକରେ ସଭା କରିଥିବାରୁ ସେଠାରେ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପଦଯାତ୍ରା କରାଯାଇଥିଲା। ଯେଉଁଥିରେ ବାଚସ୍ପତିଙ୍କ ସହ ବିଭିନ୍ନ ଦଳର ନେତା, କର୍ମୀ, ଗାନ୍ଧିବାଦୀ ଲୋକେ ଯୋଗଦେଇ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ସ୍ମୃତିଚାରଣ କରିଥିଲେ ।
ସେହି ସ୍ଥାନ, ସେହି ରାସ୍ତା, ଏବଂ ସେହି ସ୍ମୃତିକୁ ମନେ ପକାଇବା ପାଇଁ ଆଜି ପୁଣି ଚଳଚଞ୍ଚଳ ହୋଇଛି କଟକ। ମୁଣ୍ଡରେ ଗାନ୍ଧି ଟୋପି ପିନ୍ଧି ଗାନ୍ଧିଙ୍କ ଆଦର୍ଶକୁ ବ୍ରତ କରି ରାସ୍ତାକୁ ଓହ୍ଲାଇଛନ୍ତି ଏମାନେ। ଏଠାରେ ନାହିଁ ଶାସକ ବିରୋଧୀର ମନମାଳିନ୍ୟ। ବରଂ ଜାତିର ପିତାଙ୍କ ପ୍ରତି ସମସ୍ତଙ୍କ ମନରେ ସମର୍ପଣଭାବ। ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷକୁ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ଏମିତି କିଛି କାର୍ଯ୍ୟକ୍ରମ ପାଳନ ହୋଇଥିଲା । ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମସିହା ମଧ୍ୟରେ ୮ ଥର ଓଡ଼ିଶା ଗସ୍ତରେ ଆସିଥିଲେ। ୧୯୨୧ ମାର୍ଚ୍ଚ ୨୩ ରେ ପ୍ରଥମ ଗସ୍ତରେ ଗାନ୍ଧିଜୀ କଟକ ରେଳ ଷ୍ଟେସନରୁ ଓହ୍ଲାଇ ସଭାସ୍ଥଳକୁ ପଦଯାତ୍ରା କରିଥିଲେ। ସେହି ପଦଯାତ୍ରାକୁ ପଦଯାତ୍ରା ମାଧ୍ୟମରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହାର ନେତୃତ୍ବ ନେଇଥିଲେ। କାଠଯୋଡ଼ି ପଠାରେ ସେଦିନ ଗାନ୍ଧିଜୀ ଓଡ଼ିଶାର ଜନସମୁଦାୟଙ୍କୁ ସତ୍ୟ ଅହିଂସାର ମନ୍ତ୍ର ଦେଇଥିଲେ। ଜାତୀୟ ମୁକ୍ତି ସଂଗ୍ରାମରେ ସାମିଲ ହେବାଲାଗି ଆହ୍ବାନ ଦେଇଥିଲେ। ସେହି ସଭାର ସ୍ମୃତିରେ ବେଲଭ୍ୟୁ ନିକଟରେ ବ୍ରୋଞ୍ଜ ମୂର୍ତ୍ତିର ଉନ୍ମୋଚନ କରାଯାଇଛି।
ଏଣେ ବିଧାନସଭାରେ ମଧ୍ୟ ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରାଯାଇଛି। ଗାନ୍ଧିଜୀଙ୍କ ବିଚାର ହେଉଛି ମାନବଜାତି ପାଇଁ ସବୁଠୁ ବଡ଼ ଅବଦାନ ।ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂରଣ ଅବସରରେ ଆଜି ବିଧାନସଭାରେ ଏନେଇ ହୋଇଥିବା ସ୍ବତନ୍ତ୍ର ଆଲୋଚନାରେ ବ୍ୟକ୍ତବ୍ୟ ରଖି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ମହାତ୍ମା ଗାନ୍ଧିଙ୍କ ନୀତି ଓ ଆଦର୍ଶ ପ୍ରତି ସଂପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସଂଗ୍ରହାଳୟରେ ପ୍ରଣାମ ବାପୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହାସହ ଏଠାରେ ରାମଧୂନ ଅଡିଓ ସିଷ୍ଟମର ଉଦଘାଟନ କରାଯାଇଛି। ଓଡ଼ିଶାର ଯେଉଁ ସବୁ ଗାଁକୁ ଗାନ୍ଧିଜୀ ଯାଇଥିଲେ ସେ ସବୁ ଗାଁ ଗହଳି ରେ ଗାନ୍ଧିଜୀଙ୍କ ନାଟକ ପ୍ରଦର୍ଶିତ କରାଯିବ।ଓଡିଶା ସହିତ ଗାନ୍ଧୀଜୀଙ୍କର କିଭଳି ନିବିଡତା ଥିଲା । କିଛି ପ୍ରାମାଣିକତା ସହ ଏହାକୁ ଲୋକ ଲୋଚନକୁ ଆଣିବାକୁ ଗାନ୍ଧୀ ସ୍ମାରକ ନିଧି କଟକ ପକ୍ଷରୁ ପ୍ରୟାସ କରାଯାଇଛି । କଟକ ଜେଲ ରୋଡ ଠାରେ ଥିବା ସଂଗ୍ରାମୀ ସ୍ମାରକୀ ପଡିଆରେ ଖୋଲିଛି ବାପୁଙ୍କ ଜୀବନୀ ସମ୍ପର୍କିତ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।
Related Stories
November 14, 2024