ନୂଆଦିଲ୍ଲୀ: ଆଜି ବି ମନେ ପଡୁଛି ସେଦିନର ଲୋମଟାଙ୍କୁରା ଘଟଣା । ଯାହାକୁ ଏହା ମଧ୍ୟରେ ଦୁଇ ବର୍ଷ ପୁରିଛି । ପୁଲ୍ଓ୍ଵାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀ ଅବସରରେ ସହିଦ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳର (ସିଆର୍ପିଏଫ୍) ଯବାନମାନଙ୍କ ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀ ଓ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଲେଖିଛନ୍ତି, ୨୦୧୯ ମସିହାର ଆଜିର ଦିନରେ ଭୟାବହ ପୁଲ୍ଓ୍ଵାମା ଆକ୍ରମଣରେ ପ୍ରାଣ ହରାଇଥିବା ସାହସୀ ସହିଦମାନଙ୍କ ପ୍ରତି ମୁଁ ନତଃମସ୍ତକ। ଭାରତ କଦାପି ସେମାନଙ୍କର ଦୁଃସାହସ ଏବଂ ଆତ୍ମବଳିକୁ ଭୁଲି ପାରିବ ନାହିଁ।
ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ, ଯବାନମାନଙ୍କ ପରିବାରବର୍ଗଙ୍କୁ ସରକାର ସହାୟ ହେଉଛନ୍ତି। ୨୦୧୯ ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ଆତ୍ମବଳି ଦେଇଥିବା ସାହସୀ ‘ସିଆର୍ପିଏଫ୍’ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଜାତି ପ୍ରତି ସେମାନଙ୍କ ସେବାକୁ ଭାରତ କଦାପି ବିସ୍ମରଣ କରିବ ନାହିଁ। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଆମେ ସହାୟତା ଯୋଗାଇ ଦେଉଛୁ।