ପାଟନା : ବିହାରର ଗୋପାଳଗଞ୍ଜ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ୨୦୧୬ ମସିହାର ଏହି ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଏବଂ ଅନ୍ୟ ୨ ଜଣଙ୍କର ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଥିଲା। ସ୍ବତନ୍ତ୍ର ଅବକାରୀ କୋର୍ଟ ଏହି ମାମଲାର ବିଚାର କରି ୯ ଜଣଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଶୁଣାଇଥିବା ବେଳେ ୪ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି । ଏତଦ୍ଭିନ୍ନ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ କରିଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ସମସ୍ତ ୯ ଜଣ ଗୋଟିଏ ପରିବାରର।
ଉଲ୍ଲେଖଯୋଗ୍ୟ, ୨୦୧୬ ଅଗଷ୍ଟ ମାସରେ ବିହାରର ଗୋପାଳଗଞ୍ଜ ଜିଲ୍ଲା ଅଧୀନସ୍ଥ ଖରଜୁରବନି ଅଞ୍ଚଳରେ ବିଷାକ୍ତ ମଦ ପିଇ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାବେଳେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨ ଜଣଙ୍କ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଥିଲା। ବିହାରରେ ନୀତୀଶ କୁମାରଙ୍କ ସରକାର ମଦ ନିଷିଦ୍ଧ କରିବାର ୪ ମାସ ପରେ ଏଭଳି ମଦ ବିଭୀଷିକା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ପ୍ରଥମ ଥର ପାଇଁ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ବିହାରରେ ଏତେ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ଅତିରିକ୍ତ ଜିଲ୍ଲା ଜଜ୍ ଲବକୁଶ କୁମାର ଆଜି ଏହି ଦଣ୍ଡାଦେଶ ଶୁଣାଇଥିଲେ।