ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : ଆସନ୍ତା ୮ ତାରିଖ ଦିନ ସମଗ୍ର ବିଶ୍ୱ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହେବାକୁ ଯାଉଛି ।
ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରେ ଶାସକ ବିଜେଡି ଦଳ ଦଳୀୟ ଆଧାରରେ ଏହି ଦିବସକୁ ପାଳନ କରିବାର ଘୋଷଣା କରିଛି । ମହିଳା ସଶକ୍ତିକରଣର ମିଛ ବାହାସ୍ପୋଟ ମାରୁଥିବା ଏବଂ ଭ୍ରମିତ କରୁଥିବା ଦଳର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅବସରରେ ୫ଟି ପ୍ରଶ୍ନ ରାଜ୍ୟବାସୀଙ୍କ ତରଫରୁ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ପଚାରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ୨୧ ବର୍ଷ ଶାସନକାଳ ସମୟରେ କେତେ ମହିଳାଙ୍କ କୋଳ ଖାଲି କରିଛନ୍ତି ? କେତେ ସଂଖ୍ୟାରେ ନାବାଳିକାଙ୍କ ବଳାତ୍କାର ଏବଂ ହତ୍ୟା ହୋଇଛି ? ଦାଦନ ଖଟିବାକୁ କେତେ ଲକ୍ଷ ଓଡିଆ ପୁଅ ବାହାରକୁ ଯାଇଛନ୍ତି ଓ ଏହି କାରଣରୁ କେତେ ମାଁଙ୍କ ଆଖିରୁ ଲୁହ ଝରୁଛି ? ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳା ସଶକ୍ତିକରଣର ଢୋଲ ବାଡଉଛନ୍ତି ରାଜ୍ୟ ସରକାର ା କିନ୍ତୁ ସେ ସବୁ ଗୋଷ୍ଟୀ କେବଳ ଦଳୀୟ ଆଧାରରେ ହୋଇଛି ନା ସାଧାରଣ ମହିଳାଙ୍କୁ ନେଇ ଗଠନ ହୋଇଛି ? ଦଳୀୟ ଆଧାରରେ ଗଠନ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଲକ୍ଷ୍ୟ କେବଳ ଭୋଟ ବ୍ୟାଂକ ନୁହେଁ କି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ୨୦୧୭ ମସିହାରୁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପୋଷଣ ଅଭିଯାନକୁ ରାଜ୍ୟ ସରକାର ରାଜ୍ୟର ମାଁ ଓ ଭଉଣୀଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଲାଗୁ କରିନାହାନ୍ତି । ସେହିପରି କୋଭିଡ୍ ମହାମାରୀ ଭଳି ଦୁର୍ଦ୍ଦିନ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଁ ଓ ଭଉଣୀଙ୍କ ଦୁଃଖ ଓ କଷ୍ଟକୁ ବୁଝି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଗ୍ୟାସ ବଂଟନ କରିଛନ୍ତି । ମାତ୍ର ଏହି ଦୁର୍ଦ୍ଦିନ ସମୟରେ ରାଜ୍ୟର ଅଗଣିତ ମାଁ ଓ ଭଉଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ କଣ ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଏହି ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଉପସ୍ଥିତ ଥିଲେ ।
Related Stories
October 27, 2024
September 30, 2024