ଯାଜପୁର (ରତ୍ନଗିରି ନ୍ୟୁଜ୍) : ଯାଜପୁର ଜିଲ୍ଲା ଦଶରଥପୁର ତହସିଲ୍ ଅଞ୍ଚଳରେ ବୈତରଣୀ ନଦୀ କୂଳରେ ଥିବା ସିଦ୍ଧେଶ୍ଵର ଘାଟ ସନ୍ନିକଟ ନଦୀ ମଧ୍ୟରୁ ଜେସିବି ମେସିନ୍ ସାହାଯ୍ୟରେ ବାଲି ଉତ୍ତୋଳନ କରୁଥିବା ସମୟରେ ନଦିଗର୍ଭରୁ ପ୍ରାୟ ତିନି ଫୁଟ୍ ଉଚ୍ଚତାର ଏକ ପ୍ରାଚୀନ ଶିବଲିଙ୍ଗକୁ ଉଦ୍ଧାର କରାଯାଇଛି l ବାଲି ଭିତରୁ ମିଳିଥିବା ଏହି ଶିବ ଲିଙ୍ଗଟି ଉପରେ ମେସିନର ବକେଟ୍ ମାଡ଼ ହୋଇଥିବାରୁ ଏହାର କିଛି ଅଂଶ ଭାଙ୍ଗି ଯାଇଥିବା କୁହାଯାଉଛି l କେବଳ ସେତିକି ନୁହେଁ ଦୁଇଟି ଭଗ୍ନ ଅମୁହାଁ ମନ୍ଦିର ମଧ୍ୟ ସେଠାରେ ପୋତି ହୋଇ ରହିଥିବା ଦେଖିବାକୁ ମିଳିଛି ! ଏହି ଖବର ପ୍ରଚାରିତ ହେବା ପରେ ସିଦ୍ଧେଶ୍ଵର ମହାଦେବ ମନ୍ଦିର ପୂଜକମାନେ ସେଠାରେ ସେହି ଲିଙ୍ଗକୁ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଥିବା ବେଳେ ତାହାକୁ ଦେଖିବାକୁ ଯାଜପୁର ସମେତ ପଡୋଶୀ ଭଦ୍ରକ ଜିଲ୍ଲାର ଶ୍ରଦ୍ଧାଳୁମାନେ ଭିଡ଼ ଲଗାଇଥିବା ଦେଖାଯାଇଛି ! ସେଠାରେ ପୂର୍ବରୁ କୌଣସି ଏକ ମହାଦେବ ମନ୍ଦିର ରହିଥିଲା ଏବଂ ଧୀରେ ଧୀରେ ତାହା ନଦୀ ଗର୍ଭରେ ବିଲୀନ ହୋଇ ଯାଇଥିବା ଏଥିରୁ ଅନୁମାନ କରାଯାଉଛି ! ତେଣୁ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ତୁରନ୍ତ ଏହି ସ୍ଥାନକୁ ନିଜ ଅଧିନକୁ ନେଇ ଉକ୍ତ ସ୍ଥାନର ଉତଖନନ କଲେ ସେ ମନ୍ଦିର ସମ୍ପର୍କରେ ଜନସାଧରଣ ମାନେ ଅଧିକ ତଥ୍ଯ ସମ୍ପର୍କରେ ଅବଗତ ହୋଇ ପାରନ୍ତେ l ଆବିଷ୍କୃତ ଲିଙ୍ଗ ଓ ମନ୍ଦିରର ସୁରକ୍ଷା ପାଇଁ ଏବେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇ ପଡ଼ିଛି ବୋଲି ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି l ଜିଲ୍ଲା ପ୍ରଶାସନ ମଧ୍ୟ ସେହି ଲିଙ୍ଗ ଓ ମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ବୁଦ୍ଧିଜିବୀ ମହଲରେ ଦାବି ହେଉଛି l
Related Stories
October 27, 2024
September 30, 2024