କେନ୍ଦୁଝର (ରତ୍ନଗିରି ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ବନ୍ୟଜନ୍ତୁ ବାରହା ଓ ମଣିଷର ଅନାବିଳ ପ୍ରେମ ଘଟଣା କିଛି ଦିନ ହେବ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପାଳିତ ବାରହା ଧୁଡୁକୁ ଜଙ୍ଗଲରେ ଛାଡିବା ନେଇ ଦାବି ଏବେ ଜୋର ଧରିଲାଣି । ବନ୍ୟଜନ୍ତୁ ଘରେ ରଖିବା ଓ୍ବାଇଲ୍ଡ ଲାଇଫ୍ ନିୟମ ଅନୁସାରେ ଦଣ୍ଡନୀୟ ଅପରାଧ ଅଟେ ବୋଲି ମଧ୍ୟ ସ୍ବର ଉଠିଲାଣି। ଏ ପ୍ରସଙ୍ଗକୁ ବନ ବିଭାଗ ଭଲଭାବେ ଜାଣିଥିବା ସତ୍ତ୍ବେ କାହା ସ୍ବାର୍ଥରେ ଏବଂ କାହିଁକି କୁନ୍ତଳାଙ୍କୁ ଅନୁକମ୍ପା ଦେଖାଉଛି ତାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପକ୍ଷରେ ଗାଁ ଲୋକଙ୍କ ଅଭିଯୋଗ କ୍ରମେ ଗତ ୯ ତାରିଖରେ ବାରହା ଧୁଡୁକୁ ଉଦ୍ଧାର କରି ବନ ବିଭାଗ କୁନ୍ତଳାଙ୍କ ଘରଠାରୁ ୨୫ କିଲୋମିଟର ଦୂର ସମାକୋଇ ଜଙ୍ଗଲରେ ଛାଡିଥିବା ବେଳେ ପୁଣି ୯ ଦିନ ପରେ କୁନ୍ତଳା ସମାକୋଇ ସଂରକ୍ଷିତ ଜଙ୍ଗଲର କମଳାଙ୍ଗଠାରୁ ଚଲେଇ ଚଲେଇ ବାରହା ଧୁଡୁକୁ ଘରକୁ ନେବା କଥା ଲୋକଙ୍କ ମନରେ ହଜମ ହେଉନି ।
ସୂଚନାଯୋଗ୍ୟ ଯେ, ଦୁଇ ବର୍ଷ ତଳେ କୁନ୍ତଳା ଜାଳେଣୀ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ବାରହା ଧୁଡୁକୁ ପାଇ ମା’ର ସେହ୍ନ ଦେଇ ପାଳିଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣ କରାଯାଇଥିଲା । ନ୍ୟୁଜ ସେଭେନରୁ ଖବର ଜାଣିବା ପରେ ପିପୁଲସ ଫର ଆନିମଲ ଫୋରମର ଅଧ୍ୟକ୍ଷା ମାନେକା ଗାନ୍ଧୀ ବାରହା ଧୁଡୁକୁ ଉଦ୍ଧାର ପାଇଁ ପ୍ରଶ୍ନ ଉଠାଇଛନ୍ତି ଓ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ସହିତ ବାରହା ଧୁଡୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବା ବିଷୟରେ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଏଠି ଭାବପ୍ରବଣତାର କିଛି ମାନେ ନାହିଁ, ନିୟମକୁ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି । ବନ୍ୟପ୍ରାଣୀ ନିୟମ ଅନୁସାରେ ବାରହା ଧୁଡୁକୁ ଉଦ୍ଧାର କରି ବନ ବିଭାଗ ଆବଶ୍ୟକ ଚିକିତ୍ସା ସୁବିଧା ଦେଇ ନନ୍ଦନକାନନରେ ଛାଡିବା ନେଇ ଦାବି କରିଛନ୍ତି । ଏ ସମ୍ପର୍କରେ ତେଲକୋଇ ବନାଞ୍ଚଳ ଅଧିକାରୀଙ୍କ କହିବା କଥା ହେଲା ଧୁଡୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବା ବନଖଣ୍ଡ ଅଧିକାରୀଙ୍କ ଉପରେ ନିର୍ଭର କରୁଛି
Related Stories
November 14, 2024