ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ ): ବରିଷ୍ଠ ବିଜେପି ନେତା କିଶୁନ ପ୍ରସାଦ ସାହୁଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତଃ ସାହୁ ଜଣେ ଦକ୍ଷ ସଙ୍ଗଠକ ଭାବେ ବେଶ ଜଣାଶୁଣା ଥିଲେ । ସେ ବିଜେପି ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେ ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ଚେୟାରମ୍ୟାନ ଭାବେ ଦାୟିତ୍ୱ ତୁଲାଇଥିଲେ । ବିଭିନ୍ନ ସମୟରେ ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ପଦପଦବୀରେ ରହି ତୃଣମୂଳ ସ୍ତରରେ ବିଜେପିକୁ ମଜବୁତ କରାଇବାର କାର୍ଯ୍ୟ କରୁଥିଲେ । ଜନସଙ୍ଘରୁ ଆରମ୍ଭ କରି ବିଜେପି ସଙ୍ଗଠନ ଅଭିବୃଦ୍ଧିରେ ତାଙ୍କ ଅବଦାନ ଅବିସ୍ମରଣୀୟ । ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କୁ ୨୦୧୭ ମସିହାରେ ପ୍ରଥମ ଅଟଳ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଗତ ବର୍ଷ କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଶୁନ ସାହୁଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ । ରାଉଲକେଲା ବାସିନ୍ଦା ସ୍ୱର୍ଗତଃ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଧବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ତାଙ୍କର ୩ ପୁଅ ଏବଂ ଜଣେ ଝିଅ ଅଛନ୍ତି । ସ୍ୱର୍ଗତଃ ସାହୁଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୃ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ କିଶୁନ ପ୍ରସାଦ ସାହୁଙ୍କ ପାର୍ଥିବ ଶରୀର ଉପରେ ବିଜେପି ପତାକା ଘୋଡାଇ ଦଳୀୟ ନେତୃବୃନ୍ଦ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଜଂଳି ଜ୍ଞାପନ କରିଥିଲେ । କିଶୁନ ପ୍ରସାଦ ସାହୁ ଜିଲ୍ଲା ସଭାପତିଠୁ ରାଜ୍ୟର ବିଭିନ୍ନ ପଦ ପଦବୀରେ ରହି ଦଳକୁ ସଙ୍ଗଠିତ କରିଛନ୍ତି । ତାଙ୍କ ମୃତ୍ୟୁ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଜେପି ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମର କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଓ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସମେତ ଦଳୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
October 27, 2024
September 30, 2024