ଭୁବନେଶ୍ୱର: ରାତି ପାହି ସକାଳ ହେଲା, ଆଉ ଏବେ ବି ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ବିଜେପି ବିଧାୟକ | ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସହ ଅନ୍ୟ ବିଜେପି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ବସିଛନ୍ତି | ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାରଣାରତ ବିଜେପି ବିଧାୟକଙ୍କୁ ଭେଟି ଆଲୋଚନା କରିଛନ୍ତି | ନରସିଂହ କହିଛନ୍ତି ୫ ଦିନ ପୁର୍ବରୁ ଗୃହ କାର୍ଯ୍ୟ ବନ୍ଦ କରିଦିଆଗଲା। ହୋହଲା ଭିତରେ ବିଧେୟକ ପାରିତ ହେଲା। ବିରୋଧୀଙ୍କୁ ଆଲୋଚନାରେ ସାମିଲ କରାନଯିବା ଏବଂ ଗୃହରେ ଯେଉଁ ଭଳି ଭାବେ ବିଲ୍ ପାସ କରାଯାଉଛି, ତାହା ଅଗଣତାନ୍ତ୍ରିକ। ବିଧାୟକମାନଙ୍କ ସହ ଆଲୋଚନା କରାଯାଉନି । ଆଲୋଚନା ଭିତରେ ବିଧାନସଭା ବନ୍ଦ କରିବା କଥା। କିନ୍ତୁ ସେଭଳି କିଛି ହେଇନି । ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନାହିଁ |
ସୂଚନା ମୁତାବକ ବିଜେପିର ୩ ସଦସ୍ୟଙ୍କ ନିଲମ୍ବନକୁ ନେଇ ବିଧାନସଭା ପରିସ୍ଥିତି ଗାନ୍ଧୀମୂର୍ତ୍ତି ତଳେ ଅହୋରାତ୍ର ଧାରଣା ଦେଇଥିଲେ ବିଜେପି ବିଧାୟକ। ବିଲ୍ ଆଲୋଚନା ବେଳେ ବିରୋଧୀ ସଦସ୍ୟମାନଙ୍କୁ ଭାଗ ନେବାକୁ ବାଚସ୍ପତି ସୁଯୋଗ ଦେଇନାହାନ୍ତି। ମୁଲତବୀ ଆଲୋଚନା ଦାବି କରିବା ବିରୋଧୀମାନଙ୍କର ଅଧିକାର। ସେ ଅଧିକାର ବାଚସ୍ପତି ଦେଇନାହାନ୍ତି। ତେବେ ଶନିବାର ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଧାରଣାରତ ବିଧାୟକମାନଙ୍କୁ ଯେତେ ବୁଝାଇଲେ ବି ସେମାନେ ମାନିନାହାନ୍ତି। ଆଉ ଗତକାଲିଠାରୁ ଏପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି | ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୋହନ ଚରଣ ମାଝୀ ଓ ବିଷ୍ଣୁ ଚରଣ ସେଠୀ ଗୃହରୁ ନିଲମ୍ବିତ ହେବା ପରେ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।ଶନିବାର ସନ୍ଧ୍ୟାରେ ଧାରଣସ୍ଥଳକୁ ଯାଇ ନିଜେ ବାଚସ୍ପତି ଶ୍ରୀ ପାତ୍ର ବିଜେପି ସଦସ୍ୟମାନଙ୍କୁ ବୁଝାସୁଝା କରିଥିଲେ ବି ସେମାନେ ମାନିନଥିଲେ। ଗଣମାଧ୍ୟମକୁ ଶ୍ରୀ ପାତ୍ର କହିଥିଲେ, ସରକାରୀ ଦଳର ପ୍ରସ୍ତାବ ଆଧାରରେ ବିଧାୟକମାନଙ୍କ ନିଲମ୍ବନ ପାଇଁ ତାଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିଥିଲା। ଖୁବଶୀଘ୍ର ସେମାନେ ଧାରଣା ପ୍ରତ୍ୟାହାର କରିବେ ବୋଲି ବିରୋଧୀ ଦଳ ନେତା ତାଙ୍କୁ କହିଥିବା ଶ୍ରୀ ପାତ୍ର କହିଥିଲେ। ତେବେ ଏପର୍ଯ୍ୟନ୍ତ ବିଧାୟକମାନେ ଧାରଣାରୁ ଓହରିନାହାନ୍ତି |