ଇଣ୍ଡୋନେସିଆ ମୁଖ୍ୟ ଦ୍ୱୀପ ଜାଭାରେ ଶନିବାର ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ୩୦୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ୧୨ ଜଣ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଆମେରିକା ଭୂ-ଗର୍ଭିୟ ସର୍ଭେକ୍ଷଣ ସଂସ୍ଥାଙ୍କ ସୂଚନା ଅନୁସାରେ ସ୍ଥାନୀୟ ସମୟ ଅପରାହ୍ନ ୨ଟା ବେଳେ କମ୍ପନ ଅନୁଭୂତ ହୋଇଥିଲା। ଏହାର ଉତ୍ପତି ସ୍ଥଳ ପୂର୍ବ ଜାଭାର ମଲାଙ୍ଗ ଜିଲ୍ଲା ସୁମ୍ବର ପୁକୁଙ୍ଗ ସହରର ଭୂ-ଗର୍ଭର ୮୨ କିଲୋମିଟର ଗଭିରରେ ଥିଲା।
ଏହି ଭୂମିକମ୍ପର ପ୍ରଭାବ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବାଲିରେ ମଧ୍ୟ ଅନୁଭୂତ ହୋଇଛି। ତେବେ ଏଥିଲାଗି ସୁନାମୀ ସତର୍କତା ଜାରି ହୋଇନଥିଲେ ମଧ୍ୟ ଇଣ୍ଡୋନେସିଆ ଭୂମିକମ୍ପ ଓ ସୁନାମୀ ସତର୍କତା କେନ୍ଦ୍ରର ମୁଖ୍ୟ ଲୋକଙ୍କୁ ପାହାଡ ଢାଲୁ ଓ ଭୂ-ସ୍ଖଳନ ଆଶଙ୍କା ଥିବା ସ୍ଥାନମାନଙ୍କରୁ ଦୂରେଇ ରହିବାକୁ କହିଛନ୍ତି। ଇଣ୍ଡେନେସିଆରେ ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଶକ୍ତିଶାଳୀ ପ୍ରାକୃତିକ ବିତ୍ପାତ। ଗତ ରବିବାର ସାମୁଦ୍ରିକ ଝଡ ସେରୋଜା ଦେଶରେ ତାଣ୍ଡବ ରଚିଥିଲା।
ସେରୋଜା ଝଡବତାସ ଓ ବନ୍ୟାରେ ବିଭିନ୍ନ ସ୍ଥାନରେ ୧୭୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି ୪୮ ଜଣ ନିଖୋଜ ଅଛନ୍ତି। ବାତ୍ୟାରେ ଧରାଶାୟୀ ହୋଇଥିବା ଶହଶହ ଘର ମରାମତି ପୂର୍ବରୁ ଭୂମିକମ୍ପ ଆତଙ୍କ ସୃଷ୍ଟି କରିଛି। ଭୂମିକମ୍ପ ବେଳେ ପୂର୍ବ ଜାଭା ଲୁମାଜାଙ୍ଗ ଜିଲ୍ଲାରେ ମୋଟର ସାଇକେଲରେ ଯାଉଥିବା ଦମ୍ପତ୍ତିଙ୍କ ଉପରକୁ ପାହାଡରୁ ପଥର ଖସିଥିଲା। ଫଳରେ ମୋଟର ସାଇକେଲ ପଛରେ ବସିଥିବା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି ବୋଲି ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ସଂସ୍ଥାନଙ୍କ ମୁଖପାତ୍ର କହିଛନ୍ତି।