ଭୁବନେଶ୍ୱର: ଯଦି ଆପଣ ହୋଲ୍ଡିଂ ଟ୍ୟାକ୍ସ ଦେଉ ନାହାନ୍ତି ତେବେ ଆପଣଙ୍କ ଘରକୁ ସିଲ୍ କରି ଦିଆଯିବ। ରାଜଧାନୀରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିଭିନ୍ନ ବର୍ଗରୁ ଜୋରଦାର ବିରୋଧ କରାଯାଉଥିବା ବେଳେ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)।
ବିଏମ୍ସିର ଡେପୁଟି କମିଶନର (ରାଜସ୍ୱ)ଙ୍କ ପକ୍ଷରୁ ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନରମାନଙ୍କୁ ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ବହୁତ ଲୋକ ହୋଲ୍ଡିଂ ଟ୍ୟାକ୍ସ ଦେଇ ନାହାନ୍ତି। ଏହି ଲୋକଙ୍କ ବିରୋଧରେ ଯଥାଶୀଘ୍ର OPDR ଆକ୍ଟ ୧୯୬୨ ଅନୁସାରେ ସାର୍ଟିଫିକେଟ କେସ୍ ରୁଜୁ କରନ୍ତୁ। ସେହିପରି ଯେଉଁମାନଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ସେମାନଙ୍କ କୋଠାଗୁଡ଼ିକୁ ସିଲ୍ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ କ୍ଷତି ରୋକିବାକୁ ଏହିପରି ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।