ନୂଆଦିଲ୍ଲୀ : କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଦେକର ଆଦାନୀ ପୋର୍ଟସ୍ ଦ୍ୱାରା ଚେନ୍ନାଇର କାଟ୍ଟୁପଲ୍ଲୀ ବନ୍ଦରରେ ହେବାକୁ ଥିବା ନୂତନ ପ୍ରକଳ୍ପକୁ ନେଇ ମୁହଁ ଖୋଲିଛନ୍ତି । ଏହି ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଛି । ଏହା ଚେନ୍ନାଇ ଉପକଣ୍ଠରେ ନିର୍ମିତ ହେବାକୁ ଯାଉଛି । ଏହି ପ୍ରକଳ୍ପକୁ ନେଇ କୋର୍ଟରେ ଗତ ୨୧ ତାରିଖରେ ଶୁଣାଣି ହୋଇଥିଲା । କୋର୍ଟ ସ୍ଥାନୀୟ ପ୍ରଶାସନକୁ ପ୍ରକଳ୍ପ ହେଲେ କଣ କ୍ଷତି ହେବ ସେନେଇ ରିପୋର୍ଟ ମାଗିଥିଲେ । ଏହାସହ ବନ୍ଦର ସଂପ୍ରସାରଣ ବେଳେ ସ୍ଥାନୀୟ ବାସିନ୍ଦା ଓ ପରିବେଶ ଉପରେ କଣ ପ୍ରତିକୂଳ ପ୍ରଭାବ ପଡିବ ସେନେଇ ମଧ୍ୟ ପ୍ରଶାସନକୁ ପଚାରିଥିଲେ । ଏହି ପ୍ରକଳ୍ପରୁ ନେଇ ଚେନ୍ନାଇର ଦୁଇ ଜଣ ସାଂସଦ ଥାମିଜାଚି ଥଙ୍ଗାପାଣ୍ଡିଆନ୍ ଓ କଲାନିଧି ବୀରସ୍ୱାମୀ ଲୋକସଭାରେ ପ୍ରଶ୍ନ କରିଥିଲେ । ଏହାସହ ପ୍ରକାଶ ଜାଭଦେକରଙ୍କୁ ଜବାବ ମାଗିଥିଲେ । ଏହାକୁ କିପରି ଏକ ଅଭୟାରଣ୍ୟ ନିକଟରେ କରିବାକୁ ଅନୁମତି ମିଳିଲା ବୋଲି ସଂସଦରେ ପ୍ରଶ୍ନ କରିଥିଲେ । ଆହୁରି ମଧ୍ୟ ଜଳ ସୁରକ୍ଷା ତଥା ବନ୍ୟା ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଗୁରୁତ୍ୱପୂର୍ଣ୍ଣ ଓ ପରିବେଶକୁ କ୍ଷତି ପହଁଚାଇବା ଭଳି ପ୍ରକଳ୍ପ ସିଆରଜେଡ୍ ନୋଟିଫିକେସନ୍ ଆଧାରରେ ବେଆଇନ୍ । ଏହି ପ୍ରସ୍ତାବ କିନ୍ତୁ ନୂଆ ପ୍ରକଳ୍ପ ପାଇଁ ନୁହେଁ ବରଂ ଏହାର ସଂପ୍ରସାରଣ କରିବାକୁ ଅଟେ । ୨୦୦୯ରେ ଏଥିପାଇଁ ସମସ୍ତ କ୍ଲିଅରାନ୍ସ ବା ଅନୁମତି ମିଳିସାରିଛି ।ଏହି ପ୍ରକଳ୍ପରୁ ୧୩ କିମି ଦୂରରେ ପୁଲିକାଟ୍ ହ୍ରଦ ରହିଛି । ପ୍ରତିବର୍ଷ ଏଠାରେ ସମୁଦ୍ର ୧ ମିଟର କୂଳ ଲଙ୍ଘୁଛି । ପ୍ରକଳ୍ପ କାମ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଯେପରି ଏହା ବାତ୍ୟା, ବନ୍ୟା ତଥା ସୁନାମି ମୁକାବିଲା କରିପାରିବ ସେନେଇ ବ୍ୟବସ୍ଥା ରହିଛି । ତେବେ ଏସବୁର ଖିଲାପ କଲେ ପ୍ରକଳ୍ପକୁ ବାତିଲ କରାଯାଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
Related Stories
November 14, 2024