ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲର ଦ୍ୱିତୀୟ ମ୍ୟାଚରେ ଚେନ୍ନାଇକୁ ୭ ୱିକେଟରେ ହରାଇ ଦେଇଛି ଦିଲ୍ଲୀ । ୧୮୯ ରନର ଟାର୍ଗେଟକୁ ପିଛା କରି ଏହି ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୮ଟି ବଲ୍ ବାକି ଥାଇ ମାତ୍ର ୩ ୱିକେଟ ହରାଇ ୧୯୦ ରନ୍ କରିବାରେ ସମର୍ଥ ହୋଇଛି ଦଳ ।
ଚେନ୍ନାଇ ସୁପର କିଙ୍ଗ୍ସର ବୋଲରଙ୍କୁ ପ୍ରଥମରୁ ଆକ୍ରମଣ ଆରମ୍ଭ କରି ଆଭିମୁଖ୍ୟ ସ୍ୱଷ୍ଟ କରରି ଦେଇଥିଲେ ଦିଲ୍ଲୀର ଦୁଇ ଓପନର୍ । ଶିଖର ଧୱନ ମାତ୍ର ୫୪ ବଲରେ ୮୫ ରନ୍ ଓ ପୃଥ୍ୱୀ ସ’ ୩୮ ବଲରେ ୭୨ ରନ୍ କରି ଦିଲ୍ଲୀର ବିଜୟକୁ ସହଜ କରି ଦେଇଥିଲେ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ଥ । ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୮ ରନ୍ କରିବାକୁ ସମର୍ଥ ହୋଇଥିଲା ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ।
ଚେନ୍ନାଇର ଓପନିଂ ଯୋଡି ଫେଲ ମାରିବା ଏବଂ ଅଧିନାୟକ ଧୋନୀ ଶୂନରେ ଆଉଟ ହେବା ପରେ ବି ସୁରେଶ ରାଇନାଙ୍କ ଧୁଆଁଧାର ବ୍ୟାଟିଂ ଯୋଗୁଁ ଏକ ସମ୍ମାନଜନକ ସ୍କୋର କରିବାକୁ ଦଳ ସମର୍ଥ ହୋଇଥିଲା । ରାଇନା ୩୬ ବଲରେ ୫୪, ମୋଇନ ଅଲୀ ୨୪ ବଲରେ ୩୬, ରବୀନ୍ଦ୍ର ଜାଡେଜା ୧୬ଟି ୨୭ ରନ୍ କରି ଅପରାଜିତ ରହିଥିଲେ ।