ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : ଦୁନିଆର ଯେ କୌଣସି ସ୍ଥାନରେ ମାତୃଭାଷା କହୁଥିବା ଲୋକଟିଏ ସହ ଭେଟ ହୋଇଗଲେ ଆପଣାପଣ ଆପେ ଆପେ ହୃଦୟରେ ବସା ବାନ୍ଧିଦିଏ । ଏହା ହିଁ ମାତୃଭାଷାର ମହତ୍ତ୍ବ ବୋଲି ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଜି ବିଶ୍ବ ମାତୃଭାଷା ଦିବସ ପାଳନ ଅବସରରେ ଆୟୋଜିତ ସମାରୋହରେ ମତପ୍ରକାଶ ପାଇଛି । ସଭାରେ ଉଦ୍ଘାଟକ ଭାବେ ଯୋଗଦେଇ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଭାଷା ଓ ମାତୃଭାଷା ଭିତରେ ଥିବା ପ୍ରଭେଦ ସମ୍ପର୍କରେ ଆଲୋଚନା କରିଥିଲେ ।
ମୁଖ୍ୟ ଅତିଥି ବିଭାଗର ପ୍ରମୁଖ ଶାସନ ସଚିବ ଡ. ବିଷ୍ଣପଦ ସେଠୀ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ବାରା ପ୍ରକାଶ ପାଇଥିବା ଓଡ଼ିଆ ଭୋକାବୁଲାରି ପୁସ୍ତକ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନିତ ଅତିଥି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ଗୃହ ରାଷ୍ଟ୍ର, ଶକ୍ତି, ଶିଳ୍ପ ମନ୍ତ୍ରୀ ସଭାରେ ଯୋଗଦାନ କରି ମାତୃଭାଷା ଉଚ୍ଚ ହେଲେ ଗୋଟିଏ ଜାତି ଉଚ୍ଚ
ହୋଇଥାଏ । ତେଣୁ ଆମ ମାତୃଭାଷା ଓଡ଼ିଆ ଏକ ସମୃଦ୍ଧ ଭାଷା, ତେଣୁ ଏହି ଭାଷାକୁ ଆମେ କିପରି ଆହୁରି ଋଦ୍ଧିମନ୍ତ କରିପାରିବା ସେ ବିଷୟରେ ସମ୍ୟଭାବେ ଆଲୋଚନା କରିଥିଲେ ।
ସମ୍ମାନିତବକ୍ତା ଭାବେ ଯୋଗଦାନ କରି ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ. ପ୍ରତିଭା ରାୟ ମାତୃଭାଷା ଓଡ଼ିଆର ମହତ୍ଵ ଓ ଗୁରୁତ୍ବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ, ପ୍ରାବନ୍ଧିକ, ନାଟ୍ୟକାର ଇଂରାଜୀ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମହାନ୍ତି ମାତୃଭାଷା ସମ୍ପର୍କରେ ସୁଦୀର୍ଘ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ । ଭୋକାବୁଲାରି ପୁସ୍ତକର ସମ୍ପାଦକ ଡ. ଗୌରାଙ୍ଗ ଚରଣ ଦାଶ ଓ ଡ. ପ୍ରଦୀପ୍ତ କୁମାର ପଣ୍ଡାଙ୍କୁ ଏହି ଅବସରରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।