ଆସାମ ବିଧାନସଭା ନିର୍ବାଚନ ୨୦୨୧ରେ କଂଗ୍ରେସର ବିଜୟ ସୁନିଶ୍ଚିତ କରିବାକୁ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ପ୍ରିୟଙ୍କା ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି। ମିଶନ ଆସାମର ଦ୍ୱିତୀୟ ଦିନ, ମଙ୍ଗଳବାର ଦିନ ଆସାମର ସଧାରୁ ଟି-ଷ୍ଟେଟରେ ପହଞ୍ଚିଥିଲେ। ସେଠାରେ ସେ ଚା’ ବଗିଚା ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି। ଏହାପରେ ସେ ସେଠାରେ ମହିଳା କର୍ମୀଙ୍କ ସହ ବଗିଚାରେ ପାରମ୍ପରିକ ଭାବେ ଚା’ପତ୍ର ତୋଳିଥିଲେ। ପ୍ରତିଥର ନିର୍ବାଚନ ସମୟରେ ଆସାମ ଚା’ ବଗିଚା ଓ ଶ୍ରମିକ ପ୍ରସଙ୍ଗ ଉଠିଥାଏ। ମଙ୍ଗଳବାର ଦିନ ପ୍ରିୟଙ୍କା ଗାନ୍ଧୀ ତେଜପୁରରେ ପ୍ରିୟଙ୍କା ଏକ ଜନସଭାକୁ ସମ୍ବୋଧିତ କରିବେ।ଆସାମ ଗସ୍ତର ପ୍ରଥମ ଦିନ, ସୋମବାର ଦିନ ପ୍ରିୟଙ୍କା ଆସାମରେ ପହଞ୍ଚିଥିଲେ। ଆସାମରେ ପହଞ୍ଚିବା ପରେ ସେ ପ୍ରସିଦ୍ଧ ଶକ୍ତିପୀଠ ମା’ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରି ଦୁଇ ଦିନିଆ ଗସ୍ତ ଆରମ୍ଭ କରିଥିଲେ। ଆସାମରେ ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ୬ ତାରିଖରେ ୩ଟି ପର୍ଯ୍ୟାୟରେ ମତଦାନ ହେବାର ଅଛି।ସୋମବାର ଦିନ ପ୍ରିୟଙ୍କା ଜୁଲକବାରି ଅଞ୍ଚଳରେ ରହିଥିଲେ। ସେଠାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ନୀଳାଞ୍ଚଳ ହିଲ୍ସ ସ୍ଥିତ ଶକ୍ତିପୀଠ ଯାଇଥିଲେ। ସେ କହିଥିଲେ ଯେ ସେ ବହୁତ ଆଗରୁ ମନ୍ଦିର ଆସିବାକୁ ଚାହୁଁଥିଲେ ଓ ତାଙ୍କର ଏହି ଇଛା ପୁରା ହୋଇଛି। ମା’ଙ୍କ ପାଖରେ ସେ ନିଜ ପରିବାର ଓ ଆସାମବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ବୋଲି କହିଥିଲେ।
Related Stories
November 14, 2024