ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ “ମୋ କଲେଜ’କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟା୧୫ରୁ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ସୋସିଆଲ୍ ମିଡିଆରେ ସିଧା ପ୍ରସାରଣ କରାଯିବ। କାର୍ଯ୍ୟକ୍ରମରେ ଅଭିଯାନର ଉଦ୍ଦେଶ୍ୟ, ଲକ୍ଷ୍ୟ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ଏହି ସମୟରେ ଏକ ଉତ୍ସବ ଆୟୋଜନ କରାଯିବ । ସ୍ଥାନୀୟ ବିଧାୟକ, ସାଂସଦ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ । ତେବେ ଉତ୍ସବ ସ୍ଥଳରେ ୫ଶହରୁ ଅଧିକ ଲୋକ ଏକଜୁଟ୍ ହେବେ ନାହିଁ । ସମସ୍ତ କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ ବୋଲି ଉଚ୍ଚଶିକ୍ଷା ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ।
“ମୋ କଲେଜ’କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବକୁ ସଫଳ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡିକରେ ବ୍ୟାପକ ଭାବେ ବ୍ୟବସ୍ଥା କରିବାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି । ଏ ନେଇ ବିଭାଗୀୟ ପ୍ରମୁଖ ସଚିବ ସମସ୍ତଙ୍କୁ ଚିଠି ଲେଖିବା ସହିତ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ମୁଖ୍ୟ କାର୍ଯ୍ୟକ୍ରମକୁ ହଲ୍ ଭିତରେ ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟକ୍ରମକୁ ଏଲଇଡି ସ୍କ୍ରିନ୍ରେ ପ୍ରସାରଣ କରାଯିବ । ତେବେ କଲେଜଗୁଡିକ ପାଇଁ ୨୫ ହଜାର ଏବଂ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ୫୦ ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମର ସମସ୍ତ ଫଟୋ ତଥା ଭିଡିଓ କରିବା ବାଧ୍ୟତାମୂଳକ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅପରପକ୍ଷେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭାଗୀୟ ଶାସନ ସଚିବ ଶ୍ରୀ ମିଶ୍ର, ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।